Breaking Newsଓଡ଼ିଶା

ଜାତୀୟ ସଂହତି ଓ ସଂସ୍କୃତିର ପର୍ବ ‘ଉତ୍ସବ ଓଡ଼ିଶା’

ଓଡ଼ିଶାର ଗୌରବମୟ ଇତିହାସ, ଐତିହ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ଉତ୍ସବ ଓଡ଼ିଶାର ମୁଖ୍ୟ ଲକ୍ଷ୍ୟ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିଜ୍ ମିଳିତ ଆନୁକୂଲ୍ୟରେ ଜାତୀୟ ସଂହତି ଓ ସଂସ୍କୃତି ପର୍ବ ‘ଉତ୍ସବ ଓଡ଼ିଶା’ ବୁଧବାର ଏବଂ ଗୁରୁବାର ଦୁଇଦିନଧରି ବାଣୀ ବିହାର ଏମ୍‌କେସିଜି ଅଡିଟୋରିଅମରେ ହେବ ।ଓଡ଼ିଶାର ଗୌରବମୟ ଇତିହାସ, ଐତିହ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହିତ ଜାତୀୟ ସଂହତିରେ ରାଜ୍ୟର ଅବଦାନ ଆଲୋଚନା କରିବା ଉତ୍ସବ ଓଡ଼ିଶାର ମୁଖ୍ୟ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ଦୁଇଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ବିଷୟର ବିଶେଷଜ୍ଞ, ଐତିହାସିକ, ଗବେଷକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବେ ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ।

ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ କଥାକାର ଓ ଲେଖକ ହରପ୍ରସାଦ ଦାସ, ସଂସ୍କୃତି ବିଭାଗର ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଭାରତୀୟ ଭାଷା ସମିତିର ବରିଷ୍ଠ ଉପଦେଷ୍ଟା ନିଶାମଣି କର ଏବଂ ଯୁବ ଲେଖକ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗର ସ୍ୱତନ୍ତ୍ର ସଚିବ ନିହାର ରଂଜନ ଦାସ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ବୈଷୟିକ ଅଧିବେଶନରେ ଯୋଗ ଦେଇ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତର ପରିଷଦର ଅଧ୍ୟକ୍ଷା ନବନୀତା ରଥ, ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ମଧୁସୂଦନ ଦାସ ଏବଂ ଲେଖକ ତଥା ଶିକ୍ଷାବିତ୍ ନିରଂଜନ ପାଢ଼ୀ ପ୍ରମୁଖ “ଜାତୀୟ ସଂହତିରେ ଜାତୀୟ ଶିକ୍ଷାନୀତି ର ଭୂମିକା” ଶୀର୍ଷକରେ ଆଲୋଚନା କରିବେ ।

ଉତ୍ସବ ଓଡ଼ିଶାର ଦ୍ୱିତୀୟ ବୈଷୟିକ ଅଧିବେଶନରେ ଯୋଗଦେଇ ବିଶିଷ୍ଟ କଥାକାର ଦାଶ ବେନେହୁର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରସନ୍ନ କୁମାର ସ୍ୱାଇଁ, ସାର୍ବଜନୀନ ଉଦ୍ୟୋଗ ବିଭାଗର ସ୍ୱତନ୍ତ୍ର ସଚିବ ନିହାର ରଂଜନ ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ନିର୍ଦ୍ଦେଶକ ମିତାଲି ଚିନାରା, ବିଶିଷ୍ଟ ସାମ୍ବାଦିକ ଓ ଲେଖକ କେଦାର ମିଶ୍ର ଏବଂ ପ୍ରଖ୍ୟାତ ଲେଖିକା ଶୁଭଶ୍ରୀ ଲେଙ୍କା ପ୍ରମୁଖ “ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପୁନଃଜାଗରଣ” ଶୀର୍ଷକରେ ଆଲୋଚନା କରିବେ । ଉଦଯାପନୀ ଉତ୍ସବରେ ଲେଖକ ଓ ଶିକ୍ଷାବିତ୍ ସାନ୍ତନୁ ଆଚାର୍ଯ୍ୟ, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ସଂଜୟ ଶତପଥୀ, ଜଣାଶୁଣା ସମାଜସେବୀ ଜଗଦାନନ୍ଦ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ କାହ୍ନୁ ଚରଣ ଧୀର, ଏବଂ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଉତ୍ସବ ଓଡ଼ିଶାର ଆବାହକ ତଥା ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିଜ୍‌ର ନିର୍ଦ୍ଦେଶକ ଉପେନ୍ଦ୍ର ପାଢ଼ୀ ସୂଚନା ଦେଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com