ଓଡ଼ିଶା

ବିକାଶ ପାଇଁ ମିଳୁଛି ପୁଳା ପୁଳା ପ୍ରତିଶ୍ରୁତି, ନିର୍ବାଚନ ସରିବା ପରେ ସବୁ ଅଚିହ୍ନା

ଘୁ.ଉଦୟଗିରି : ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ବର୍ଷ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ ତଲାରିମାହା ପଞ୍ଚାୟତ ଦଦଡ଼ାମାହାରେ ସରକାରଙ୍କ ଯୋଜନା ତ ଦୂରର କଥା, ମୌଳିକ ସୁବିଧା ମଧ୍ୟ ପହଞ୍ଚି ପାରିନାହିଁ। ବଣପାହାଡ଼ ଘେରା ପରିବେଶ ମଧ୍ୟରେ ଉକ୍ତ ରାଜସ୍ବ ଗ୍ରମ ଗଢ଼ି ଉଠିଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏହା ୨ କିମି ଦୂରରେ ଅବସ୍ଥିତ। ଏହି ଗ୍ରାମରେ ୧୫ରୁ ଅଧିକ ଆଦିବାସୀ ପରିବାର ବସବାସ କରୁଛନ୍ତି। ସ୍ବାଧୀନତା ପରଠୁ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟଜଳ ଓ ବାସଗୃହ ଏକ ପ୍ରଧାନ ସମସ୍ୟା ହୋଇ ରହିଆସିଛି। ସରକାରଙ୍କ ମାଳମାଳ ଯୋଜନା ଏହି ଆଦିବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି।
ଅନେକ ଦାବି ପରେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ହେଲେ ତାହା ଯୋଜନାରେ ହିଁ ଅଟକି ରହିଛି। ଏହି ଗ୍ରାମକୁ ବିକାଶ ଧାରାରେ ସାମିଲ କରିବା ପାଇଁ ସ୍ଥାନୀୟ ଗଟାମାହା ଗ୍ରାମର ଯୁବ ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ ଅନେକ ଥର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଏହି ଗ୍ରାମର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ଲକ୍ ପ୍ରଶାସନକୁ ନିର୍ଦ୍ଦେଶ ମିଳିଥିଲେ ହେଁ, ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଓଲଟି ବ୍ଲକ୍ ପ୍ରଶାସନ ଓ ପଞ୍ଚାୟତ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମର ବିକାଶ ଶ୍ରୀଘ୍ର ହେବ ବୋଲି ରାଜ୍ୟ ସରକାରଙ୍କୁ ମିଥ୍ୟା ପ୍ରତିଶ୍ରୁତି ପ୍ରଦାନ କରାଯାଇଛି।
ବିଶେଷ କରି ବ୍ଲକ୍ ପ୍ରଶାସନ ଏବଂ ତଲାରିମାହା ସରପଞ୍ଚଙ୍କ ଅସହଯୋଗ ପାଇଁ ଆଜି ପର୍ଯ୍ୟନ୍ତ ଦଦଡ଼ିମାହା ଗ୍ରାମର ବିକାଶ ହୋଇପାରିନାହିଁ। ନିର୍ବାଚନ ଆସିଲେ ନେତାମାନେ ଗ୍ରାମକୁ ଲାଇନ୍ ଲଗାଉଛନ୍ତି। ଆଉ ସେତେବେଳେ ଗ୍ରାମର ବିକାଶ ପାଇଁ ପୁଳା ପୁଳା ମିଥ୍ୟା ପ୍ରତିଶ୍ରୁତି ମାନ ମିଳୁଛି। ହେଲେ ନିର୍ବାଚନ ସରିବା ପରେ ସବୁ ଅଚିହ୍ନା। ତେବେ ରାଜ୍ୟ ସରକାର ଓ ବ୍ଲକ୍ ପ୍ରଶାସନ ଏହି ଘଟଣାକୁ ଗୁରୁତର ଭାବେ ନେବା ସହ ଗ୍ରାମର ବିକାଶ ଦିଗରେ କାମ ନକଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com