ଜାତୀୟରାଜନୀତି

ପରିବାରବାଦକୁ ନେଇ ଟିଆରଏସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, କହିଲେ-ତେଲେଙ୍ଗାନାରେ ପରବର୍ତ୍ତୀ ସରକାର ଗଢିବ ବିଜେପି

ହାଇଦ୍ରାବାଦ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନା ଗସ୍ତ କରି ସେଠାରେ ଇଣ୍ଡିଆନ ସ୍କୁଲ ଅଫ୍ ବିଜନେସର ୨୦ତମ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେଠାରେ ଆୟୋଜିତ ଏକ ଜନସଭାକୁ ସମ୍ୱୋଧିତ କରି ରାଜ୍ୟର ଟିଆରଏସ ସରକାରକୁ ନିଶାନା କରିଛନ୍ତି । ପିଏମ ମୋଦୀ କହିଛନ୍ତି, ରାଜ୍ୟରୁ ବଂଶବାଦର ରାଜନୀତିକୁ ଶେଷ କରିବା ପାଇଁ ରାଜ୍ୟବାସୀ ମନସ୍ଥ କରିସାରିଛନ୍ତି ଏବଂ ଲୋକଙ୍କ ପାଇଁ କାମ କରୁଥିବା ସରକାରକୁ ନିର୍ବାଚିତ କରିବାକୁ ସ୍ଥିର କରିସାରିଛନ୍ତି। ହାଇଦ୍ରାବାଦର ବେଗମପେଟ ବିମାନବନ୍ଦର ନିକଟରେ ଦଳୀୟକର୍ମୀଙ୍କୁ ସମ୍ୱୋଧିତ କରି ଆସନ୍ତା ନିର୍ବାଚନରେ ରାଜ୍ୟରେ ବିଜେପି ଇତିହାସ ରଚିବାକୁ ଯାଉଛି ବୋଲି ସେ କହିଛନ୍ତି।

ଟିଆରଏସ ସରକାରକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପରିବାରବାଦର ରାଜନୀତି ଉତ୍ସାହୀ ଯୁବକଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ଦେଉ ନାହିଁ। ସେମାନେ ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏକବିଂଶ ଶତାବ୍ଦୀରେ ତେଲେଙ୍ଗାନାକୁ ବଂଶବାଦର ରାଜନୀତିରୁ ମୁକ୍ତ କରିବା ଦରକାର ବୋଲି ପିଏମ କହିଛନ୍ତି। ଯେଉଁଠି ବଂଶବାଦର ରାଜନୀତି ହଟିଛି, ସେଠାରେ ବିକାଶ ଏବଂ ଉନ୍ନତି ହୋଇଛି। ପରିବାରବାଦର ରାଜନୀତି ଗଣତନ୍ତ୍ର ପାଇଁ ବଡ଼ ବିପଦ। ‘ପରିବାରୀ ପାର୍ଟି’ କ୍ଷମତାକୁ ଆସିବା  ସହ ସେ ଦୁର୍ନୀତିକୁ ପ୍ରସୟ ଦିଏ। କ୍ଷମତାକୁ ଜାବୁଡି ଧରିବାକୁ ସବୁ ସମ୍ଭବ ପ୍ରାୟସ କରେ।

ଦଳୀୟକର୍ମୀଙ୍କୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ବିଜେପି ଏକ ଯୁଦ୍ଧ ଲଢୁଛି। ତେଲେଙ୍ଗାନାର ଜନତାଙ୍କ ସ୍ୱାଭିମାନ ଏବଂ ସେମାନଙ୍କ ଆତ୍ମ ସମ୍ମାନ ପାଇଁ ଲଢେଇ ଲଢୁଛି।

 ରାଜ୍ୟ ସରକାରଙ୍କ ଉପରେ ବର୍ଷି ପିଏମ ମୋଦୀ କହିଛନ୍ତି, କେନ୍ଦ୍ରୀୟ ଯୋଜନା ଗୁଡିକର ନାଁ ପରିବର୍ତ୍ତନ କରି ସେ ଗୁଡିକୁ ରାଜ୍ୟ ସରକାର ହଡପ କରୁଛନ୍ତି। ସଚିବାଳୟରେ ଖରାପ ବାସ୍ତୁ ଥିବା କହି ସେଠାକୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓଙ୍କ ନଯିବା ଉପରେ ମଧ୍ୟ ପିଏମ ମୋଦୀ କଟାକ୍ଷ କରିଛନ୍ତି। ପିଏମ କହିଛନ୍ତି,  କିଛି ଲୋକେ ଅନ୍ଧବିଶ୍ୱାସକୁ ଜାବୁଡି ରଖିଛନ୍ତି ଏବଂ କିଛି ସ୍ଥାନକୁ ଯାଉ ନାହାନ୍ତି।

ଅନ୍ୟପଟେ ଟିଆରଏସ ପକ୍ଷରୁ ହାଇଦ୍ରାବାଦରେ ପିଏମ ମୋଦୀଙ୍କୁ  ବିରୋଧ କରି ପୋଷ୍ଟର ମରାଯାଇଥିଲା। ପ୍ରତିଶ୍ରୁତି ପାଳନ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com