ଗୁଜରାଟ: ଆଉ ଦେବାକୁ ପଡିବନି ବିଜୁଳି ବିଲ୍ । ଲୋକଙ୍କୁ ଏଥର କମ୍ ଖର୍ଚ୍ଚରେ ମିଳିବ ବିଜୁଳି । କାରଣ ସରକାର ସୋଲାର ସିଷ୍ଟମ ନେଇ କରିଛନ୍ତି ଘୋଷଣା । ଅର୍ଥାତ ସୋଲାର ସିଷ୍ଟମ ମାଧ୍ୟମରେ ବିଦ୍ୟୁତ ବିଲ୍ କମେଇବାକୁ ଯୋଜନା କରିଛନ୍ତି ସରକାର । ଏହାରି ଭିତରେ ସାମ୍ନାକୁ ଆସିଛି ଏକ ତାଜୁବ କଲା ଭଳି ଘଟଣା । ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡି଼ଯିବ । କାରଣ ଏହି ବିଦ୍ୟୁତ ବିଲ ଆସିବା ପରେ ଚିନ୍ତାରେ ପଡିଛନ୍ତି ପୁରା ପରିବାର । ସବୁଠୁ ବଡ କଥା ହେଲା ଏମିତି ଘଟଣା ଘଟିଛି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଂଚଳରେ ।
ଆଜ୍ଞା ହଁ, ଗୁଜରାଟର ଗାନ୍ଧୀନଗରରେ ଦେଖିବାକୁ ମିଳିଛି ଏଭଳି କିଛି । ନବସାରୀ ସହର ସ୍ଥିତ ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା ପଂକ୍ତିବେନ ପଟେଲ ନାମକ ଜଣେ ମହିଳାଙ୍କ ପାଖକୁ ଆସିଛି ୨୦ଲକ୍ଷର ବିଲ୍ । ଏହା ଦେଖି ସେ ଓ ତାଙ୍କ ପରିବାର ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ତାଙ୍କ ପରିବାରରେ ମାତ୍ର ୪ ଜଣ ସଦସ୍ୟ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ କାମ କରିବାକୁ ଯାଉଥିବାରୁ ଅଧିକାଂଶ ସମୟ ବାହାରେ ରୁହନ୍ତି। ସେହିପରି ପଂକ୍ତିବେନଙ୍କ ଘରେ କେବଳ ଗୋଟିଏ ଟିଭି, ଗୋଟିଏ ଫ୍ରିଜ୍, ୪ଟି ଲେଖାଏ ଫ୍ୟାନ୍ ଓ ବଲ୍ବ ରହିଛି। ଏତେ କମ୍ ସରଞ୍ଜାମ ଥିଲେ ମଧ୍ୟ ଦକ୍ଷିଣ ଗୁଜରାଟ ପାଓ୍ବାର କମ୍ପାନୀ ପକ୍ଷରୁ ଜୁଲାଇ ମାସ ପାଇଁ ତାଙ୍କ ନିକଟକୁ ୨୦,୦୧, ୯୦୨ ଟଙ୍କାର ବିଜୁଳି ବିଲ୍ ଆସିଛି । ସବୁବେଳେ ଦୁଇରୁ ଅଢ଼େଇ ହଜାର ଟଙ୍କାର ମାସିକ ବିଦ୍ୟୁତ୍ ବିଲ୍ ଆସୁଥିବାବେଳେ ଚଳିତ ଥର ଲକ୍ଷାଧିକ ଟଙ୍କାର ବିଲ୍ ଦେଖି ସେ ଚକିତ ହୋଇଯାଇଥିଲେ। ଠିକ୍ ସମୟରେ ବିଦ୍ୟୁତ୍ ବିଲ ପୈଠ କରୁଥିବାବେଳେ ତାଙ୍କର କୌଣସି ବକେୟା ନଥିବା ସତ୍ତ୍ୱେ ତାଙ୍କ ନିକଟକୁ କାହିଁକି ଏତେ ଲକ୍ଷ ଟଙ୍କାର ବିଜୁଳି ବିଲ୍ ଆସିଲା ତାକୁ ନେଇ ଚିନ୍ତାରେ ପଡିଯାଇଥିଲେ ପୁରା ପରିବାର ।
ଏନେଇ ସେ ଗୁଜରାଟ ବିଦ୍ୟୁତ ବିଭାଗ(ଜିଇବି)କୁ ଜଣାଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଜିଇବିର ଜଣେ ଅଧିକାରୀ ରବିବାର ଆସି ପଂକ୍ତିବେନଙ୍କ ଘରେ ଲାଗିଥିବା ମିଟର ରିଡିଂ ଭୁଲ୍ ଥିବା ଜାଣିବାକୁ ପାଇଥିଲେ। ସେ ଘଣ୍ଟାଏ ମଧ୍ୟରେ ଉକ୍ତ ମିଟର ରିଡିଂର ଭୁଲ୍କୁ ସଂଶୋଧନ କରିବା ସହ ନୂତନ ବିଲ୍ ଜାରି କରିଥିଲେ, ଯାହାଫଳରେ ପଂକ୍ତିବେନଙ୍କ ପରିବାରକୁ ଆଶ୍ୱସ୍ତି ମିଳିପାରିଛି।