ଓଡ଼ିଶାରାଜନୀତି

ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା-କହିଲେ ବିଜେପି ଗ୍ୟାରେଣ୍ଟି…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି ‘ସୁଭଦ୍ରା’ଯୋଜନା ପାଇଁ ଏସଓପି । ଯେଉଁଥିରେ ରାଜ୍ୟର ମହିଳାଙ୍କୁ ମିଳିବ ୫୦ହଜାରର ଟଙ୍କା । ତେବେ ଏହି ଘୋଷଣା ପରେ କେଉଁ ମାନେ ଉପକୃତ ହେବେ, କିଏ ବାଦ ପଡିବେ ସେ ନେଇ ଜୋର ଧରିଛି ଚର୍ଚ୍ଚା ।

କିନ୍ତୁ ଅନ୍ୟପଟେ ଆରମ୍ଭ ହୋଇଯାଇଛି ସୁଭଦ୍ରା ପଲିଟିକ୍ସ । ଏସଓପି ନେଇ ତୀବ୍ର ହୋଇଛି ରାଜନୀତି । ଏହାରି ମଧ୍ୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ‘ସୁଭଦ୍ରା’ ଏସଓପି ନେଇ ସୋସିଆଲ ମିଡିଆରେ ବର୍ଷିଛନ୍ତି ନବୀନ । ଏକ୍ସ’ରେ ଏକ ଲମ୍ବା ପୋଷ୍ଟ କରି ସେ ଲେଖିଛନ୍ତି, ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି ‘ଗ୍ୟାରେଣ୍ଟି’ ଦେଇଥିଲା ।

ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା । କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ । ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି? ଆମର ୪.୫ କୋଟି ଜନସଂଖ୍ୟାର ପ୍ରାୟ ୨.୨୫ କୋଟି ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା ।

କିନ୍ତୁ ଏବେ ବିଜେପି ସରକାରଙ୍କ କହିବା ମୁତାବକ କେବଳ ମାତ୍ର ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିବେ। ତାହେଲେ ବିଜେପି ସରକାରଙ୍କ ‘ପ୍ରତ୍ୟେକ’ ମହିଳାଙ୍କୁ ଏ ଯୋଜନାରେ ସାମିଲ କରିବା ଅର୍ଥ କ’ଣ ଏଇୟା ? ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି? ନା ଏହା ଏକ ଧୂଆଁବାଣ? ମା’ମାନେ ଅନେକ ଆଶା ରଖିଥିଲେ। ଟଙ୍କା ମିଳିଲେ କିଛି ଭଲ କାମରେ ଲଗାଇବେ ବା ବ୍ୟବସାୟ କରିବେ ।

ହେଲେ ଏବେ କହୁଛନ୍ତି ମା’ମାନଙ୍କୁ ୬ମାସରେ ମାତ୍ର ୫,୦୦୦ ଟଙ୍କାର ସହାୟତା; ଯାହା ମାସକୁ ମାତ୍ର ୮୦୦ ଟଙ୍କା ପଡ଼ୁଛି ।ଏହା କେଉଁ କାମରେ ଲାଗିବ? ଏକ ସାଙ୍ଗରେ ୫୦,୦୦୦ ଟଙ୍କାର ପ୍ରୋତ୍ସାହନ ମିଳିଥିଲେ ମା’ମାନେ ଏହାକୁ କୌଣସି କାମରେ ଲଗାଇ ପାରିଥାନ୍ତେ । କିଛି ବ୍ୟବସାୟ କରି ସଶକ୍ତ ହୋଇ ସମାଜରେ ଆଗକୁ ବଢ଼ିଥାନ୍ତେ ।

ସୁଭଦ୍ରା ବା କିଛି ଗ୍ୟାରେଣ୍ଟି ଯୋଜନାକୁ କାର୍ୟ୍ୟକ୍ଷମ କରିବାକୁ ବିଜେପି ସରକାର ଚଳିତ ବଜେଟରେ ୫୦,୦୦୦ କୋଟି ଟଙ୍କାର ଋଣ କରିଛନ୍ତି। ଏହା ଆମ ସମସ୍ତଙ୍କ ମୁଣ୍ଡରେ ଋଣ ବୋଝ। ଆମ ମା’ ଓ ଭଉଣୀମାନଙ୍କୁ ଏହାକୁ ସୁଧ ସହ ସୁଝିବାକୁ ପଡ଼ିବ। କାରଣ ଏହା ସରକାରୀ ଅର୍ଥ ନୁହେଁ, ଋଣ ହୋଇ ଆସିଥିବା ଟଙ୍କା । ଏଥିରେ କ’ଣ ନାରୀ ସଶକ୍ତିକରଣ ସମ୍ଭବ ହେବ? ଆମେ ଖାଲି ଯାହା ଋଣ କରି ପରବ ପାଳିବା ସାର ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com