ଓଡ଼ିଶା

ଛାତ୍ରୀଛାତ୍ରଙ୍କୁ ଶାରୀରିକ ଦଣ୍ଡ ନଦେବା ମାମଲା: ହାଇକୋର୍ଟରେ ଜବାବ ରଖିଲେ ସରକାର

ଭୁବନେଶ୍ବର: ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶାରୀରିକ ଦଣ୍ଡ ନଦେବା ନେଇ ପଦକ୍ଷେପ ବିଷୟରେ ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି । ସତ୍ୟପାଠ ମାଧ୍ୟମରେ ଦର୍ଶାଇଯାଇଛି କି ଛାତ୍ରଛାତ୍ରୀଙ୍କୁ ଶାରୀରିକ ଦଣ୍ଡ ଦିଆଯିବା ନେଇ ବିଭିନ୍ନ ଜିଲ୍ଲାରୁ ମୋଟ ୫୭ଟି ଅଭିଯୋଗ ରାଜ୍ୟ ସରକାରଙ୍କର ହସ୍ତଗତ ହୋଇଛି । କେତେକ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଆଉ କେତେକ ଚାଲିଛି ତଦନ୍ତ ।

ସେଥିରୁ ବାଲେଶ୍ୱର ୫,ବରଗଡ଼ ୧,ବଲାଙ୍ଗୀର ୬, ବୌଦ୍ଧ୨,କଟକ ୩, ଗଞ୍ଜାମ ୨,ଜଗତସିଂହପୁର ୨, ଯାଜପୁର ୬,ଝାରସୁଗୁଡ଼ା ୧,ଖୋର୍ଦ୍ଧା ୬,ମାଲକାନଗିରି ୧,ମୟୁରଭଞ୍ଜ ୫,ରାୟଗଡ଼ା ୨,ସମ୍ବଲପୁର୨,ସୋନପୁର୨ ଏବଂ ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୧୧ଟି ଅଭିଯୋଗ ରହିଛି । ଯାଜପୁର ଜିଲ୍ଲାର ଏକ ଚତୁର୍ଥ ଶ୍ରେଣୀ ଛାତ୍ରକୁ ଶିକ୍ଷୟିତ୍ରୀ ଉଠବସ୍ କରାଇବା ହେତୁ ଛାତ୍ରର ମୃତ୍ୟୁ ଘଟିବା ନେଇ ରୁଜୁ ମାମଲାରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପରବର୍ତ୍ତି ଶୁଣାଣି ପାଇଁ ସେପ୍ଟେମ୍ବର ୧୮ ତାରିଖକୁ ଧାର୍ଯ୍ୟ କରିଛନ୍ତି । ୨୦୨୩ ନଭେମ୍ବର ୨୧ରେ ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ଥାନା ଓରାଳି ଗ୍ରାମର ସୂର୍ଯ୍ୟ ନାରାୟଣ ନୋଡାଲ ୟୁପି ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ର ରୁଦ୍ରନାରାୟଣ ସେଠୀଙ୍କୁ ଜଣେ ଶିକ୍ଷୟିତ୍ରୀ ଉଠବସ୍ ହେବା ପାଇଁ ନିର୍ଦ୍ଦେଶ ଦେଲେ ।

ପଢ଼ାରେ ମନୋଯୋଗୀ ହୋଇନଥିବାରୁ ଶିକ୍ଷୟିତ୍ରୀ ଉଠବସ୍ ହେବାକୁ କହିଥିଲେ । ରୁଦ୍ର ଉଠବସ୍ ହେଉଥିବା ବେଳେ ତଳେ ପଡ଼ିଯାଇ ଅସୁସ୍ଥ ହୋଇଥିଲେ । ତାଙ୍କୁ ତୁରନ୍ତ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକ ଏସ୍‌ସିବି ମେଡିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଆବେଦନକାରୀ ପ୍ରବୀର କୁମାର ଦାସ ଏନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଏନେଇ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେନେଇ ସରକାର କୌଣସି ତଥ୍ୟ ଦେଉନାହାନ୍ତି । ଯଦ୍ୱାରା ସରକାର ଏହାକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ଅବେଦନକାରୀ ହାଇକୋର୍ଟଙ୍କୁ ଦର୍ଶାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com