ଅନ୍ତର୍ଜାତୀୟକ୍ରୀଡ଼ାଜାତୀୟ

ଏସିଆନ ଚାମ୍ପିୟନ୍ସ ଟ୍ରଫିର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନକୁ ହରାଇଲା ଭାରତୀୟ ହକି ଟିମ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ଚୀନରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫିର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନକୁ ହରାଇଛି ଭାରତୀୟ ହକି ଟିମ। ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ଦଳ ସେମି ଫାଇନାଲ ଖେଳିବାକୁ ଯାଉଛି। ଆଜିର ମ୍ୟାଚ୍‌କୁ ଭାରତ ୨-୧ରେ ଜିତି ନିଜର ଅପରାଜେୟ ଧାରା ଜାରି ରଖିଛି।ଭାରତକୁ ଆଜି ହରାଇବାକୁ ପାକିସ୍ତାନ ପୂରା ଚେଷ୍ଟା କରିଥିଲେ ହେଁ ତା’ର ସବୁ ଉଦ୍ୟମ ଫେଲ ମାରିଛି। ପ୍ରଥମ ମ୍ୟାଚରେ ଭାରତ ଆୟୋଜକ ଚୀନ, ପରେ ଜାପାନ, ତୃତୀୟ ମ୍ୟାଚ୍‌ରେ ମାଲେସିୟା ଓ ୪ର୍ଥ ମ୍ୟାଚରେ କୋରିଆକୁ ପରାସ୍ତ କରିବାପରେ ପାକିସ୍ତାନକୁ ହରାଇଛି। ଆସନ୍ତା ୧୬ରେ ସେମି ଫାଇନାଲ ଲଢ଼େଇ ହେବାକୁ ଥିବାବେଳେ ୧୭ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

ଆଜିର ମ୍ୟାଚରେ ପାକିସ୍ତାନ ପକ୍ଷରୁ କଡ଼ା ଚ୍ୟାଲେଞ୍ଜ ମିଳିଥିଲା । ମ୍ୟାଚ୍‌ର ୮ମ ମିନିଟରେ ନଦୀମ ଅହମଦ ଗୋଲ ସ୍କୋର କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ହେଲେ ଭାରତ ହାର ମାନିନଥିଲା । ମ୍ୟାଚ୍‌ର ୧୩  ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ସ୍ଥିତି ୧-୧ କରି ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରର୧୯ତମ ମିନିଟରେ ଦଳକୁ ପୁଣି ଏକ ପିସି ମିଳିଥିଲା। ଏଥର ମଧ୍ୟ ହରମନପ୍ରୀତ ସିଂହ କମାଲ କରିଥିଲେ। ସେ ଗୋଲ ସ୍କୋର କରିବାରୁ ଭାରତ ପ୍ରଥମଥର ପାଇଁ ମ୍ୟାଚ୍‌ରେ ଲିଡ ହାସଲ କରିଥିଲେ। ହାଫ ଟାଇମ ସୁଦ୍ଧା ମ୍ୟାଚ୍‌ର ସ୍ଥିତି ଭାରତ ସପକ୍ଷରେ ୨-୧ରେ ରହିଥିଲା। ତୃତୀୟ କ୍ୱାର୍ଟରରେ ପାକିସ୍ତାନ ମିଡ୍‌ ଫିଲ୍ଡରେ ଚମତ୍କାର ପ୍ରଦର୍ଶନ କରି ଭାରତର ଡି’ ଭିତରରେ ବାରମ୍ବାର ପ୍ରବେଶ କରିଥିଲା। ଦଳକୁ ଏକାଧିକ ପିସି ମଧ୍ୟ ମିଳିଥିଲା। ହେଲେ ଗୋଲ କିପର କିଷନ ବାହାଦୂର ପାଠକ ଚମତ୍କାର ଢଙ୍ଗରେ ପାକିସ୍ତାନର ସବୁ ଉଦ୍ୟମରେ ପାଣି ପକାଇ ଦେଇଥିଲେ।

ସେହିପରି ୪ର୍ଥ କ୍ୱାର୍ଟରରେ ଭାରତକୁ ପିସି ବି ମିଳିଥିଲା। କିନ୍ତୁ  ଦଳ ଏହାର ଫାଇଦା ଉଠାଇ ପାରି ନଥିଲା। ମ୍ୟାଚ ସରିବାକୁ ୧୦ ମିନିଟ ବାକି ଥିବାବେଳେ ପାକିସ୍ତାନର ଅଶରଫ ରାଣା ଡି’ ମଧ୍ୟରେ ଭାରତର ଯୁଗରାଜ ସିଂହଙ୍କୁ ବିପଦଜନକ ଭାବେ ଧକ୍କା ଦେଇଥିଲେ। ଏଥିଯୋଗୁ ବେଶ କିଛି ସମୟ ଟକ୍କରାଟକ୍କରି ସ୍ଥିତି ଦେଖିବାକୁ ମିଳିଥିଲା। ରେଫରୀ ଧକ୍କା ମାରିଥିବା ରାଣାଙ୍କୁ ୧୦ ମିନିଟ ପାଇଁ ବେଞ୍ଚରେ ବସାଇଥିଲେ। ପାକିସ୍ତାନକୁ ଶେଷ ୧୦ ମିନିଟ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିବାକୁ ପଡ଼ିଥିଲା। ସେହିଭଳି ମ୍ୟାଚ୍‌ ସରିବାକୁ ୫ ମିନିଟକୁ କମ ସମୟ ଥିବା ବେଳେ ମନପ୍ରୀତି ସିଂହଙ୍କୁ ୟେଲୋ କାର୍ଡ ମିଳିଥିଲା। ତେଣୁ ସେ ବାକି ମ୍ୟାଚ୍‌ରେ ଆଉ ଖେଳି ପାରି ନଥିଲେ। ଭାରତ ଶେଷରେ ୨-୧ରେ ପାକିସ୍ତାନକୁ ହରାଇବାକୁ ସକ୍ଷମ ହୋଇଥିଲା । ତେବେ ଆଜିର ମ୍ୟାଚ ଜିତି ମନୋବଳ ଦୃଢ଼ ରଖିଥିବା ଭାରତର ପରବର୍ତ୍ତୀ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com