ଜାତୀୟ

ଡାକ୍ତରଙ୍କ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ; ୫ଟି ଦାବି କଣ, ଜାଣନ୍ତୁ

କୋଲକାତା: ଶେଷରେ ଡାକ୍ତରଙ୍କ ଜିଦ ଆଗରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଡାକ୍ତରଙ୍କ ଦାବି ରଖିଲେ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବିଳମ୍ବିତ ରାତିରେ କୋଲକାତା ପୁଲିସ କମିସନର ବିନୀତ ଗୋଏଲଙ୍କୁ ତାଙ୍କ ପଦରୁ ହଟାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି।

ଜୁନିୟର ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ମମତା ବାନାର୍ଜୀ। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରୁଥିବା ଜୁନିୟର ଡାକ୍ତରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କ ଦାବି ଗ୍ରହଣ କରିଛନ୍ତି। ପୁଲିସରେ ପରିବର୍ତ୍ତନ ବ୍ୟତୀତ ମେଡିକାଲ ଶିକ୍ଷା ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କୁ ମଧ୍ୟ ପଦରୁ ହଟାଇ ଦିଆଯାଇଛି।

ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଥିବା ଜୁନିୟର ଡାକ୍ତରମାନଙ୍କ ସହ ୬ ଘଣ୍ଟା ଧରି ଆଲୋଚନା କରିବା ପରେ ମମତା ବାନାର୍ଜୀ ଏହି ନିଷ୍ପତ୍ତି ନେଇଛନ୍ତି। କୋଲକାତା ପୁଲିସର ଡେପୁଟି କମିସନର (ଉତ୍ତର) ଯାହାଙ୍କ ବିରୋଧରେ ପୀଡ଼ିତାଙ୍କ ପରିବାର ଲାଞ୍ଚ ଅଭିଯୋଗ ଆଣିଛନ୍ତି, ତାଙ୍କୁ ମଧ୍ୟ ହଟାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଦୁଇ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ବଦଳି କରାଯାଇଛି ।

ସେହିପରି ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି । ତେବେ ମମତାଙ୍କ ଏହି ପଦକ୍ଷେପ ପରେ ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ ହେବ ବୋଲି ଆଶା କରାଯାଉଛି। ଆନ୍ଦୋଳନରତ ଡାକ୍ତର ଆର୍‌ଜି କର ହସ୍ପିଟାଲ୍‌ରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ପୀଡ଼ିତାଙ୍କୁ ନ୍ୟାୟ ସମେତ ମୋଟ୍‌ ୫ଟି ଦାବି କରିଥିଲେ। ସେ ଦାବିଗୁଡ଼ିକ ହେଲା ଡା. ସନ୍ଦୀପ ଘୋଷଙ୍କୁ ଦଣ୍ଡ, କୋଲକାତା ପୁଲିସ କମିସନର ବିନୀତ ଗୋୟଲଙ୍କ ଇସ୍ତଫା, ସବୁ ମେଡିକାଲ ପେସାର ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ଏବଂ ଧମକ ସଂସ୍କୃତିରେ ପୂର୍ଣ୍ଣଛେଦ।

Related Articles

Back to top button
WP Twitter Auto Publish Powered By : XYZScripts.com