ଜାତୀୟରାଜନୀତି

ଜାମିନରେ ବାହାରିଲେ,ଇସ୍ତଫା ପାଇଁ ଘୋଷଣା କଲେ; ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ପୂର୍ବ ପ୍ରତିଶୃତି ଅନୁଯାୟୀ ଆଜି ନିଜ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଆଜି ଆପ ନେତ୍ରୀ ତଥା ମନ୍ତ୍ରୀ ଆତିଶୀ ମରଲେନଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ କେଜ୍ରିଓ୍ବାଲ ଘୋଷଣା କରିଥିବା ବେଳେ ଏହାପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ।

ତେବେ ଦୁଇ ଦିନ ତଳେ ନିଜ ପଦରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଥିଲେ କେଜ୍ରିଓ୍ବାଲ । ମଙ୍ଗଳବାର ଅପରାହ୍ନରେ ସେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ.ସାକ୍ସେନାଙ୍କ ବାସଭବନରେ ପହଞ୍ଚି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଉପରାଜ୍ୟପାଳଙ୍କୁ ନିଜର ଇସ୍ତଫାପତ୍ର ଦେବା ସହ ଆପ ନେତ୍ରୀ ଅତିଶୀ ମାର୍ଲେନାଙ୍କୁ ବିଧାୟକଙ୍କ ସମର୍ଥନ ସଂପର୍କିତ ପତ୍ର ବି କେଜ୍ରିଓ୍ବାଲ ପ୍ରଦାନ କରିଛନ୍ତି ।

ଏ ସମ୍ପର୍କରେ ଆପ୍ ନେତା ଗୋପାଳ ରାୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତାଙ୍କ ଇସ୍ତଫା ଉପରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ଯଥାଶୀଘ୍ର ଶପଥ ସମାରୋହ ଆୟୋଜନ କରିବାକୁ ଏଲଜିଙ୍କୁ ଅନୁରୋଧ କରାଯାଇଛି ।

କେଜ୍ରିଓ୍ବାଲଙ୍କ ଇସ୍ତଫା ସଂପର୍କରେ ଆପ୍ ନେତା ମନୀଷ ସିସୋଦିଆ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଷଡ଼ଯନ୍ତ୍ର କାରଣରୁ କେଜ୍ରିଓ୍ବାଲଙ୍କୁ ଇସ୍ତଫା ଦେବାକୁ ପଡ଼ିଛି । ଏହାକୁ ନେଇ ସାଧାରଣ ଜନତା ଦୁଃଖିତ ଅଛନ୍ତି । ସିସୋଦିଆ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାହସିକତାର ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଜନଅଦାଲତକୁ ଯିବାକୁ ଘୋଷଣା କରିଛନ୍ତି ।

ନିର୍ବାଚନ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ଆଜି ଆତିଶୀଙ୍କୁ ଦିଆଯାଇଛି। ଅବକାରୀ ନୀତି ଘୋଟାଲା ମାମଲାରେ ଜାମିନ ମିଳିବା ପରେ କେଜ୍‌ରିୱାଲ ଏହି ନିଷ୍ପତି ନେଇଥିଲେ । ଏଥିସହିତ ଆପ ନେତ୍ରୀ ଆତିଶୀ ମରଲେନାଙ୍କୁ ନୂତନ ମୁଖ୍ୟମନ୍ତ୍ରୀ କରିବାକୁ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନା କରିଛି ।

ଅନ୍ୟପଟେ ଯଦି ଦେଖିବା, ୫୬ ବର୍ଷୀୟ ଅରବିନ୍ଦ କେଜ୍ରିୱାଲ ପ୍ରଥମଥର ପାଇଁ ୨୦୧୩ ମସିହା ଡିସେମ୍ବର ୨୮ ତାରିଖରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ଦଳ ମାତ୍ର ୨୮ଟି ଆସନ ଜିତିଥିଲେ ହେଁ କଂଗ୍ରେସର ୮ ଜଣ, ଜନତା ଦଳର ଏକମାତ୍ର ବିଧାୟକ ଓ ଜଣେ ସ୍ୱାଧୀନ ବିଧାୟକଙ୍କ ବାହ୍ୟ ସମର୍ଥନ ବଳରେ ସେ ଦିଲ୍ଲୀର ଦ୍ୱିତୀୟ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

କିନ୍ତୁ ସେ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀ ବିଧାନସଭାରେ ଜନ ଲୋକପାଳ ବିଲ ଉପସ୍ଥାପନ କରି ନପାରିବାରୁ ୨୦୧୪ ଫେବୃଆରୀ ୧୪ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।

୨୦୧୫ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କେଜ୍ରିୱାଲଙ୍କ ଆପ୍‌ ୭୦ରୁ ୬୭ଟି ଆସନ ଜିତି ରେକର୍ଡ କରିଥିଲା। କେଜ୍ରିୱାଲ ୨୦୧୫ରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି । ହେଲେ ଆଜି ୯ ବର୍ଷ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com