ସେପ୍ଟେମ୍ବର ୩୦ରେ ବାୟୁସେନାର ନୂଆ ମୁଖ୍ୟ ହେବେ; ଅମର ପ୍ରୀତ ସିଂହ
ନୂଆଦିଲ୍ଲୀ: ବାୟୁସେନାର ନୂଆ ମୁଖ୍ୟ ଅମର ପ୍ରିତ୍ ସିଂହ । ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ ବାୟୁସେନାର ପରବର୍ତ୍ତୀ ମୁଖିଆ ହେବେ । ଏବେ ସେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ଆସନ୍ତା ସେପ୍ଟେମ୍ବର ୩୦ରେ ଅମର ପ୍ରିତ୍ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ ।
ବର୍ତ୍ତମାନ ବାୟୁସେନା ମୁଖ୍ୟ ଏୟାରଚିଫ୍ ମାର୍ଶଲ ବିବେକ ରାମ ଚୌଧୁରୀ ୩୦ ସେପ୍ଟେମ୍ବର ୨୦୨୪ରେ ପଦମୁକ୍ତ ହେଉଛନ୍ତି । ଏୟାର ମାର୍ଶଲ ଅମର ପ୍ରୀତ ସିଂହଙ୍କ ଜନ୍ମ ୨୭ ଅକ୍ଟୋବର ୧୯୬୪ ରେ ହୋଇଥିଲା । ତାଙ୍କୁ ଡିସେମ୍ବର ୧୯୮୪ରେ ଭାରତୀୟ ବାୟୁସେନାର ଫାଇଟର ପାଇଲଟ୍ ଷ୍ଟ୍ରୀମ୍ରେ ସାମିଲ କରାଯାଇଥିଲା ।
ପ୍ରାୟ ୪୦ ବର୍ଷର ନିଜର ଲମ୍ବା ଓ ପ୍ରତିଷ୍ଠିତ ସେବା ବେଳେ ସେ ବହୁ କମାଣ୍ଡ, ଷ୍ଟାଫ୍ , ଇନଷ୍ଟ୍ରକସନାଲ ପଦବୀରେ କାମ କରିଛନ୍ତି । ସେ ବିଦେଶରେ ମଧ୍ୟ ବାୟୁସେନା ପାଇଁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିଛନ୍ତି । ଏୟାର ମାର୍ଶଲ ଅମର ପ୍ରୀତ ସିଂହ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ, ପ୍ରତିରକ୍ଷା ସେବା ଷ୍ଟାଫ୍ କଲେଜ ଓ ରାଷ୍ଟ୍ରୀୟ ପ୍ରତିରକ୍ଷା କଲେଜର ପୂର୍ବତନ ଛାତ୍ର ରହିଛନ୍ତି ।
ସେ ଜଣେ ଦକ୍ଷ ପାଇଲଟ ମଧ୍ୟ। ତାଙ୍କ ପାଖରେ ଫିକ୍ସଡ ଓ ରୋଟରୀ ଓ୍ବିଙ୍ଗ ବିମାନରେ ୫୦୦୦ ଘଣ୍ଟାରୁ ଅଧିକ ଉଡାଣର ଅନୁଭବ ରହିଛି । ନିଜ କ୍ୟାରିୟରରେ ଏୟାର ମାର୍ଶଲ ଅମରପ୍ରୀତ ସିଂହ ଅପରେସନାଲ ଫାଇଟର ସ୍କ୍ବ୍ରାଡନ୍ ଓ ଫ୍ରଣ୍ଟଲାଇନ୍ ଏୟାର ବେସ୍ର ଦାୟିତ୍ବ ଗ୍ରହଣ କରିସାରିଛନ୍ତି । ପାଇଲଟ୍ ରୂପରେ ସେ ମସ୍କୋ, ଋଷରେ ମିଗ୍-୨୯ ଅପଗ୍ରେଡ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଟିମ୍ର ନେତୃତ୍ବ ନେଇଥିଲେ ।
ସେ ରାଷ୍ଟ୍ରୀୟ ଉଡାଣ ପରୀକ୍ଷଣ କେନ୍ଦ୍ରରେ ପ୍ରୋଜେକ୍ଟ ନିର୍ଦେଶକ ମଧ୍ୟ ଥିଲେ। ତାଙ୍କୁ ଲାଇଟ୍ କମ୍ବାଟ ଏୟାରକ୍ରାଫ୍ଟ ତେଜସ୍ ଉଡାଣର ପରୀକ୍ଷଣ କାମ ଦିଆଯାଇଥିଲା । ୧୯୮୪ରୁ ବାୟୁସେନାରେ କାର୍ଯ୍ୟ କରି ଆସୁଥିବା ଶ୍ରୀ ସିଂହ ଫ୍ଲାଇଟ କମାଣ୍ଡର ଓ ମିଗ ୨୭ର କମାଣ୍ଡିଂ ଅଫିସର ଦାୟିତ୍ୱରେ ରହିଥିଲେ। ୨୦୧୯ରେ ତାଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ଓ ୨୦୨୩ରେ ପରମ ବିଶିଷ୍ଟ ସେବା ମେଡାଲ ମିଳିଥିଲା ।