Uncategorized

ପୁଣି ତେଜିଲା ବିବାଦ: ତିରୁପତି ଲଡୁ ପ୍ରାସାଦରେ ଦେଖାଦେଇଛି ତମାଖୁ !

ନୂଆଦିଲ୍ଲୀ: ତିରୁପତି ମନ୍ଦିର ପ୍ରସାଦ ନେଇ ଏବେ ତାତିଛି ଆନ୍ଧ୍ରପ୍ରଦେଶ ରାଜନୀତି । ତିରୁପତି ପ୍ରସାଦକୁ ନେଇ ଜାରି ରହିଛି ବିବାଦର ସ୍ୱର । ଶାସକ ଓ ବିରୋଧୀ ଏହାକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗି ହୋଇଛନ୍ତି । ଭକ୍ତଙ୍କ ଆବେଗଭ ମଧ୍ୟ ଏଥିରେ କୁଠାରଘାତ ହୋଇଛି । ଏହି ପ୍ରସାଦରେ ପଶୁ ଚର୍ବି ଓ ମାଛ ତେଲ ମିଶୁଥିବା ଅଭିଯୋଗ ଆସିବା ପରେ ଏନେଇ ସାରା ଦେଶରେ ଅସନ୍ତୋଷ ଜାରି ରହିଛି ।

ଏହାରି ମଧ୍ୟରେ ପ୍ରସାଦକୁ ନେଇ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ । ପ୍ରସାଦ ଲଡୁରେ ତମାଖୁ ମିଶୁଥିବା ନେଇ ହୋଇଛି ଅଭିଯୋଗ । ତେବେ ତେଲେଙ୍ଗାନା ଖମାମ ଜିଳ୍ଲାର ମହିଳା ଭକ୍ତ ଏଭଳି କିଛି ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଖମାମ ଜିଳ୍ଲାର ଡି.ପଦ୍ମାବତୀ ନାମକ ଜଣେ ମହିଳା ସେପ୍ଟେମ୍ବର ୧୯ ତାରିଖରେ ତରୁପତି ତିରୁମାଲା ମନ୍ଦିର ପରିଦର୍ଶନରେ ଯାଇଥିଲେ ।

ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ପବିତ୍ର ଲଡୁକୁ ସେ ନିଜ ପରିବାର ଓ ପଡୋଶୀ ସହ ବାଣ୍ଟିବା ପାଇଁ ଆଣିଥିଲେ । ତେବେ ଘରକୁ ଆଣି ବାଣ୍ଟିବା ପାଇଁ ଲଡ଼ୁ ଖୋଲିବା ପରେ ଏଥିରେ କାଗଜରେ ଗୁଡା ହୋଇଥିବା ତମାଖୁ ଖଣ୍ଡ ଥିବା ଦେଖିବାକୁ ପାଇଥିଲେ ।

ଏହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପବିତ୍ର ଲଡ଼ୁ ପ୍ରସ୍ତିତିରେ ଅପମିଶ୍ରିତ ଘିଅ ଓ ପଶୁ ଚର୍ବିର ବ୍ୟବହାରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏହି ଘଟଣା ସାମ୍ନାକୁ ଅସିଛି । ଯାହାର ଭିଡିଓ କରି ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସେପଟେ ତିରୁମଲା ତିରୁପତି ଲଡ଼ୁରେ ଅପମିଶ୍ରଣକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ମୁହଁ ଖୋଲିଛି । ନମୁନାକୁ ଫୁଡ଼୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆକୁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ସଚିବ ସୂଚନା ଦେଇଛନ୍ତି ।

ସେପଟେ ମହିଳାଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛି ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ତିପୁରତି ତିରୁମାଳା ଦେବସ୍ଥାନମ ବା ଟିଟିଡି । ଏହି ଲଡୁକୁ ବୈଷ୍ଣବ ବ୍ରାହ୍ମଣମାନେ ଅତି ପବିତ୍ରତାର ସହ କରିଥାନ୍ତି ଏବଂ ଏହି ପୂରା ପ୍ରକ୍ରିୟା ସିସିଟିଭି ନଜରରେ ହୋଇଥାଏ ବୋଲି ଟିଟିଡି କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com