ଓଡ଼ିଶା

ନିଯୁକ୍ତ ହେବେ ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ, ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀ: ମନମୋହନ ସାମଲ

ଭୁବନେଶ୍ବର: ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ । ବରିଷ୍ଠ ତଥା ଅବସରପ୍ରାପ୍ତ ଅଧିକାରୀଙ୍କୁ ଏଥିରେ ସାମିଲ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ସାମଲ କହିଛନ୍ତି, ସଦସ୍ୟତା ଅଭିଯାନ ପରେ ଯୋଗ୍ୟ ଅଭିଜ୍ଞ ଲୋକଙ୍କୁ ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ବ ମିଳିବ । ଦଳୀୟ ଓ ମନ୍ତ୍ରୀ ସ୍ତରରେ ଏନେଇ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ।

ତେବେ ଟେକ୍ନିକାଲ, ବୈଜ୍ଞାନିକ, ଏକ୍ସ-ସର୍ଭିସମ୍ୟାନଙ୍କୁ ଏଥିରେ ସାମିଲ୍ କରିବାକୁ ଯୋଜନା କରାଯାଉଥିବା କଥା କହିଛନ୍ତି ସାମଲ । ସେ କହିଛନ୍ତି, ଆମ ସରକାରକୁ ଏବେ ୧୦୦ ଦିନ ପୂରିଛି । ଏହି ସମୟ ଭିତରେ ଶପଥ ଗ୍ରହଣ ଦିନ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ କରାଯାଇଛି। ସରକାର ଶପଥ ନେବାର ୮ ଘଣ୍ଟା ଭିତରେ ଜଗନ୍ନାଥଙ୍କ ଚାରି ଦ୍ଵାର ଖୋଲାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସୁଭଦ୍ରା ଯୋଜନା ଆରମ୍ଭ କରାଗଲା । ରତ୍ନଭଣ୍ଡାର ଖୋଲାଗଲା। ଧାନ କ୍ଵିଣ୍ଟାଲ ୩୧ ଶହ ଟଙ୍କା କରିବାକୁ ନୀତିଗତ ନିଷ୍ପତ୍ତି ନେଇଛି ଆମ ସରକାର । ସବୁ କାର୍ଯ୍ୟକ୍ରମ ଗୋଟିଏ ଗୋଟିଏ କରାଯାଉଛି ।

ସାମଲ କହିଛନ୍ତି, ଏବେ ଦଳର ସଦସ୍ୟତା ଅଭିଯାନ ଶେଷ ପର୍ଯ୍ୟାୟରେ ଅଛି । ଏହା ସରିବା ପରେ ପରେ ନିଗମ ଓ ବୋର୍ଡ ଚଳାଇବାକୁ ଉପଯୁକ୍ତ ବ୍ୟକ୍ତିଙ୍କୁ ଦାୟିତ୍ଵ ଦିଆଯିବ। ଏନେଇ ଖୁବଶୀଘ୍ର ଆମେ ନିଷ୍ପତ୍ତି ନେବୁ।

ଏଥିପାଇଁ ଦଳୀୟ ସ୍ତରରେ ଓ ମନ୍ତ୍ରୀ ସ୍ତରରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ବୋର୍ଡ ଓ ନିଗମ ଦାୟିତ୍ୱରେ ଅଭିଜ୍ଞ ତଥା ପ୍ରମୁଖ ବ୍ୟକ୍ତିବିଶେଷ, ଟେକ୍ନିକାଲ ବ୍ୟକ୍ତି, ବୈଜ୍ଞାନିକ, ଏକ୍ସ-ସର୍ଭିସମ୍ୟାନଙ୍କୁ ସାମିଲ କରିବାକୁ ଯୋଜନା କରାଯାଇଛି। ଏଥିପାଇଁ ପଲିସି ପ୍ଲାନିଂ ହେବ, ତାହା ଅନୁଯାୟୀ ପଦକ୍ଷେପ ନିଆଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com