ଓଡ଼ିଶା

ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା, ସମସ୍ତ ଶକ୍ତିପୀଠ ଚଳଚଞ୍ଚଳ

ଭୁବନେଶ୍ୱର/କଟକ: ଶାରଦୀୟ ଦୁର୍ଗା ପୂଜା ଅବସରରେ ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା । ଏଥିଲାଗି ରାଜ୍ୟର ପ୍ରାୟ ସମସ୍ତ ଶକ୍ତିପୀଠ ଗୁଡିକ ଉତ୍ସବମୂଖର ହୋଇଉଠିଛି । ମାଆ କଟକ ଚଣ୍ତୀଙ୍କ ପୀଠରେ ଧୁମଧାମ ସହକାରେ ନବରାତ୍ର ପୂଜା ଚାଲିଛି ।

ନବରାତ୍ର ବ୍ରତ ଧାରଣ କରି ଭକ୍ତମାନେ ମାଆଙ୍କର ପୂଜାର୍ଚ୍ଚନା କରୁଛନ୍ତି । ୯ ଦିନରେ ମା ୯ଟି ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ । ମାଆଙ୍କର ଏହି ମନୋରମ ବେଶକୁ ଦର୍ଶନ କରିବା ଲାଗି କାହିଁ କେତେ ଦୂରରୁ ଲକ୍ଷାଧିକ ଭକ୍ତ ଛୁଟି ଆସନ୍ତି ।

ଏହି ଅବସରରେ ଏକାମ୍ର କ୍ଷେତ୍ରର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ମା’ଭୁବନେଶ୍ୱରୀ,କେଦାରଗୌରୀ ମନ୍ଦିରରେ ଗୌରୀ,କପିଳେଶ୍ୱର ଜିଉଙ୍କ ପୀଠରେ ମା’ଦକ୍ଷୀଣକାଳୀ,ବିନ୍ଧ୍ୟବାସିନୀ ସମେତ ଅଷ୍ଟଚଣ୍ଡୀଙ୍କ ଠାରେ ପୂଜାର୍ଚ୍ଚନା ଏବଂ ଚଣ୍ଡୀପାଠ କରାଯିବ ।

ମା’ଗୌରୀଙ୍କୁ ସହଶ୍ର କୁମ୍ଭ ଜଳରେ ଅଭିଷେକ କରାଇ ପଞ୍ଚାମୃତରେ ମାଜଣା କରାଯିବ । ବେଶ ନିମନ୍ତେ ପାଟଶାଢୀ,ରୂପା ମକୁଟ ସହ ଅନ୍ୟାନ୍ୟ ଅଳଙ୍କାରରେ ଆଭୁଷିତ କରାଯିବ । ପ୍ରଥମ ଦିନ ମା’ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ବେଶରେ ଦର୍ଶନ ଦେବେ ।

ଏହା ପରେ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କଷ୍ମାଣ୍ଡ, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେବେ ବୋଲି ମନ୍ଦିର ସେବାୟତ ମିହୀର ମହାପାତ୍ର ଏବଂ ଲୁଲୁ ମହାପାତ୍ର ସୂଚନା ଦେଇଛନ୍ତି । ଏବେ ପ୍ରତ୍ୟେହ ସକାଳ ଧୂପରେ ମା’ଙ୍କ ଠାରେ ମୁଗ, ଅଦା, ନଡିଆ, ଖଇ,କୋରା,ବିଷୋୟୀ ସେବାୟତଙ୍କ ପ୍ରଦତ୍ତ ମୁଆଁ, ଛେନା, ପଇଡ ସହ ନାନାଦି ପ୍ରକାରର ଫଳ ଲାଗି ହେବ ।

ଦ୍ୱିପହର ଧୂପରେ ଅନ୍ନ, କାନେକା,ଡାଲମା, ଓଉ ଖଟା, ଖିରି,ମାଣ୍ଡୁଅ ଆଦି ଲାଗି ହେବ । ଶେଷରେ ସନ୍ଧ୍ୟାଧୂପରେ ଦହି ପଖାଳ ଲାଗି ପହୁଡ ପଡିବ । ସେହିପରି ମା’ବନ୍ଧବଢେଇଙ୍କ ଠାରେ ମଧ୍ୟ ସମାନ ନୀତିରେ ପୂଜାର୍ଚ୍ଚନା କରାଯିବ ବୋଲି ଶିକ୍ଷାବିତ ପ୍ରତାପ ଚନ୍ଦ୍ର ଜେନା କହିଛନ୍ତି ।

ସେପଟେ ଦୁର୍ଗାପୂଜାକୁ ଆଉ ମାତ୍ର ହାତ ଗଣତି କିଛିଟା ଦିନ ବାକି ରହିଛି । ମହାଳୟାରେ ପୂଜା ମଣ୍ଡପରେ ମାଆଙ୍କ ମୂର୍ତ୍ତିରେ ଖଡି ଲାଗି ପରେ ଆଜିଠୁ ରଙ୍ଗକାମ କରାଯାଉଛି । ବିଭିନ୍ନ ମଣ୍ଡପରେ ସାଜସଜା, ରୁପା ମେଢ ଓ ତୋରଣ କାମ ମଧ୍ୟ ଜୋରସୋରରେ ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com