ଓଡ଼ିଶାମନୋରଞ୍ଜନ

ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର; ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର

ଭୁବନେଶ୍ୱର: ଓଲିଉଡ ମନୋରଞ୍ଜନ ଜଗତରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର । ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ପୁରସ୍କୃତ ହୋଇଛି ‘ଦମନ’ । ଦିଲ୍ଲୀ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଛନ୍ତି । ବିଭିନ୍ନ ବର୍ଗରେ ମନୋନୀତ ଫିଲ୍ମ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।

‘ଦମନ’ ଫିଲ୍ମ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଦମନର ପ୍ରଯୋଜକ ଓ ୨ ନିର୍ଦ୍ଦେଶକ । ଫିଲ୍ମର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ ମିଳିଛି ପୁରସ୍କାର । ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ମଧ୍ୟ ପୁରସ୍କୃତ ହୋଇଛନ୍ତି । ସୂଚନା ଅନୂଆସାରେ, ନବାଗତ ଦୀପେନ୍ଦ୍ର ସାମଲଙ୍କ ପ୍ରଯୋଜିତ ଏବଂ ଦେବୀ ପ୍ରସାଦ ଲେଙ୍କା ଓ ବିଶାଳ ମୌର୍ଯ୍ୟଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର’ ଭାବେ ପୁରସ୍କୃତ ହୋଇଛି ।

ଉକ୍ତ ଚଳଚିତ୍ରଟିକୁ ପୂର୍ବରୁ ରାଜ୍ୟ ସରକାର ଟିକସ ମୁକ୍ତ କରିଥିଲେ । ଏହାର ମୁଖ୍ୟ ଚରିତ୍ରରେ ବାବୁସାନ ମହାନ୍ତି ଓ ଦ୍ୱୀପାନ୍ବିତ ଦାଶମହାପାତ୍ର ଅଭିନୟ କରିଛନ୍ତି । ସିନେମା ‘ଦମନ’ର କଥାବସ୍ତୁ ହେଲା ମ୍ୟାଲେରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦୁର୍ଗମ ଅଞ୍ଚଳରେ ‘ଦମନ’ ନାମରେ ଏକ ଯୋଜନା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିଲା । ଏହି ଯୋଜନାରେ ସ୍ବତନ୍ତ୍ର ଭାବେ ମ୍ୟାଲେରିଆ କ୍ୟାମ୍ପ କରାଯାଇ ଏହାର ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଓଡ଼ିଶାରେ ସଚେତନତାର ବାର୍ତ୍ତା ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସାଧାରଣ ବ୍ୟକ୍ତିବିଶେଷଙ୍କ ପାଖରେ ପହଁଞ୍ଚିବା ଦରକାର ।

ଜନ ସଚେତନତା ସିନେମା ମାଧ୍ୟମରେ ହେଲେ ଏହା ଉଭୟ ସମାଜ ଏବଂ ବ୍ୟକ୍ତିବିଶେଷଙ୍କ ଠାରେ ବିଶେଷ ପ୍ରଭାବ ପକାଇଥାଏ । ଅନ୍ୟପଟେ ୨୦୨୨ ମସିହାରେ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହେବା ସହିତ ପୁଣିଥରେ ଓଡିଆ ଦର୍ଶକେ ସିନେମା ହଲ ମୁହାଁ ହୋଇଥିଲେ । ଚଳଚ୍ଚିତ୍ରରେ ବାବୁଶାନଙ୍କ ଜୀବନ୍ତ ଅଭିନୟ ସମସ୍ତଙ୍କ ମନ ଜିତିଥିଲା ଓ ଫିଲ୍ମକୁ ମିଳିଥିଲା ଅନେକ ପ୍ରଶଂସା ।

ତେବେ ଏହି ଫିଲ୍ମ ନାଁ ରେ ଯୋଡି ହୋଇଛି ଆଉ ଏକ ଟାଇଟିଲ । ଓଡ଼ିଆ ଫିଲ୍ମ ‘ଦମନ’କୁ ନେଇ ଆସିଛି ବଡ ଖବର । ଭାରତ ସରକାରଙ୍କ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଉତ୍ସବରେ ‘ଦମନ’ ହାତେଇଛି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ରର ଟ୍ୟାଗ।

Related Articles

Back to top button
WP Twitter Auto Publish Powered By : XYZScripts.com