ଜାତୀୟରାଜନୀତି

ହରିୟାଣାରେ ଚାଲିଛି ଭୋଟ ଗଣତି; କିଏ ଗଢ଼ିବ ସରକାର?

ନୂଆଦିଲ୍ଲୀ: ଆଜି ହରିୟାଣା ବିଧାନସଭା ନିର୍ବାଚନ ଫଳ ଘୋଷଣା ହେବ। ଏନେଇ ନିର୍ବାଚନ ଫଳ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ତୀବ୍ର ହେଉଛି ଉତ୍କଣ୍ଠା । ଅନ୍ୟପଟେ ୯୦ ଆସନରେ ହୋଇଥିବା ଭୋଟ୍‌ ଗଣତି ଆରମ୍ଭ ହୋଇଛି । କିଏ ମାରିବ ହରିୟାଣା ବାଜି? ଆଜି ସକାଳ ୮ ଟାରୁ ଆରମ୍ଭ ହେଉଥିବା ଭୋଟ୍ ଗଣତି ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ବୁଥ୍ ବାହୁଡା ମତ ଅନୁଯାୟୀ କଂଗ୍ରେସ ହରିୟାଣାରେ ୧୦ ବର୍ଷ ପରେ କ୍ଷମତାକୁ ଫେରିବ। କଂଗ୍ରେସ ହରିୟାଣାରେ ପାଖାପାଖି ୫୫ ଆସନରେ ଜିତିବ , ବିଜେପି ୨୭ , ଆଇଏନଏଲଡି ୨, ଜେଜେପି ୧ ଏବଂ ଅନ୍ୟମାନେ ୫ ଆସନରେ ଜିତିବେ ବୋଲି ବୁଥ୍ ବାହୁଡା ମତ କହୁଛି । ହରିୟାଣାରେ ବିଜେପି ତୃତୀୟଥର ପାଇଁ କ୍ଷମତାକୁ ଫେରିବ ବୋଲି ଆଶାବାଦୀ ଅଛି । କିଛିମାସ ତଳେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବା ଓ ରାଜ୍ୟରେ ବହୁଥିବା ସରକାର ବିରୋଧୀ ହାୱାକୁ ମାତ୍‌ ଦେଇ ବିଜେପି କ୍ଷମତାସୀନ ହେବ ବୋଲି ଆଶା ରଖିଛି ।

ଅନ୍ୟପକ୍ଷରେ ଦୀର୍ଘ ୧୦ ବର୍ଷ ହେଲା ବିରୋଧୀ ଦଳରେ ବସିଥିବା କଂଗ୍ରେସ ଏଥର କିନ୍ତୁ ବିଜେପିକୁ ତଡି କ୍ଷମତା ଦଖଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି । ସେହିଭଳି ଆଇଏନ୍‌ଏଲ୍‌ଡି ଓ ଜେଜେପି ଭଳି ଆଞ୍ଚଳିକ ଦଳ ଜାତି ସମୀକରଣକୁ ନେଇ ନିଜର ଶକ୍ତି ବଢ଼ାଇବାକୁ ପୂର୍ଣ୍ଣ ପ୍ରାଣରେ ଲାଗିପଡିଥିବା ଦେଖିବାକୁ ମିଳିଛି । ଲୋକସଭା ନିର୍ବାଚନ ପରେ ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରଥମ ଲଢ଼େଇ ହେଉଛି । ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଗତ ୫ ତାରିଖରେ ଭୋଟ ହୋଇଥିଲା ।

ମତଦାନ ହାର ୬୭.୯ ପ୍ରତିଶତ ରହିଥିଲା । ୧୦୧ ମହିଳା ଓ ୪୬୪ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ୧୦୩୧ ପ୍ରାର୍ଥୀ ଚଳିତଥର ନିର୍ବାଚନରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି, ବିରୋଧୀ ଦଳ ନେତା ଭୁପେନ୍ଦ୍ର ସିଂହ ହୁଡା, ଆଇଏନ୍‌ଏଲ୍‌ଡି ନେତା ଅଭୟ ଚୌତାଲା, ଜେଜେପିର ଦୁଶ୍ୟନ୍ତ ଚୌତାଲା, ବିଜେପିର ଅନିଲ ଭିଜ୍‌ ଓ କଂଗ୍ରେସର ଭିନେଶ ଫୋଗଟ ।

Related Articles

Back to top button
WP Twitter Auto Publish Powered By : XYZScripts.com