ଆଜି ବିଜୟା ଦଶମୀ; ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
ଭୁବନେଶ୍ୱର: ସରି ସରି ଆସୁଛି ଦିନ। ଶାରଦୀୟ ଦୁର୍ଗାପୂଜାର ଆଜି ଅନ୍ତିମ ପର୍ବ, ବିଜୟା ଦଶମୀ । ମେଲାଣି ନେବେ ମାଆ । ଅଧର୍ମ ଉପରେ ଧର୍ମର ଜୟ । ଅସତ୍ୟ ଉପରେ ସତ୍ୟର ବିଜୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ଦୁର୍ଗତୀନାଶିନୀ ମା’ ଦୁର୍ଗା । ଆଜି ମା’ଙ୍କର ବିଜୟା ଦଶମୀ । ଅଶ୍ୱିନ ମାସ ଶୁକ୍ଲ ପକ୍ଷର ଦଶମୀ ତିଥି ଅର୍ଥାତ ଦଶହରା ପର୍ବ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ ।
ତେଣୁ ସମସ୍ତ ମଣ୍ଡପରେ ଚାଲିଛି ଦୁର୍ଗତୀ ନାଶିନୀ ମା’ ଦୁର୍ଗାଙ୍କର ଦଶହରା ପୂଜା । ବେଦ ମନ୍ତ୍ର, ତନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ସବୁ ପୂଜା ମଣ୍ଡପ । ମାଆଙ୍କ ଆବାହନରେ କମ୍ପୁଛି ଗଗନ ପବନ । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ପୂଜକଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । କୁହାଯାଏ ଏହି ଦିନରେ ମା’ଙ୍କ ପୂଜା କଲେ ଦଶ ଜନ୍ମର ପାପରୁ ଉଦ୍ଧାର ମିଳିଥାଏ । ସମସ୍ତ ପୂଜା ମଣ୍ଡପ ଗୁଡିକରେ ଜଗତଜନନୀ ଦେବୀ ଦୁର୍ଗାଙ୍କର ବିଜୟାଦଶମୀ ପୂଜାର୍ଚ୍ଚନା ଜାରି ରହିଛି । ଏହା ପରେ ଅପରାଜିତା ପୂଜା, ଅନ୍ନପୂର୍ଣ୍ଣା ଭିକ୍ଷା ଓ ଶେଷରେ ମଣ୍ଡପରେ ଘଟ ବିସର୍ଜନ ବିଧି ପାଳିତ ହେବ ।
କିମ୍ବଦନ୍ତୀ ଅନୁଯାୟୀ ମହିଷାସୁରର ଅତ୍ୟାଚାର ଅସହ୍ୟ ହେବାରୁ ଦେବତାମାନେ ଦୁର୍ଗାଙ୍କୁ ଆବାହନ କରିଥିଲେ । ଦେବୀ ଦୁର୍ଗା ସିଂହବାହିନୀ ସାଜି ମହିଷାସୁରକୁ ବଦ୍ଧ କରିଥିଲେ । ଆଶ୍ୱୀନ ଶୁକ୍ଳପକ୍ଷ ଅଷ୍ଟମୀ ଓ ନବମୀ ସନ୍ଧିକ୍ଷଣରେ ଦେବୀ ଦୁର୍ଗା ମହିଷାସୁରକୁ ନିପାତ କରିଥିବାରୁ ଏହି ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ ।
ତେବେ ଦଶହରା ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରି ପ୍ରବଳ ପ୍ରତାପୀ ରାବଣକୁ ବଦ୍ଧ କରିଥିଲେ । ତେଣୁ ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଏ । ଏଥିପାଇଁ ବିଜୟା ଦଶମୀର ମୁଖ୍ୟ ଆକର୍ଷଣ ରାବଣ ପୋଡି । ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତୀକ ଭାବେ ବିଭିନ୍ନ ସ୍ଥାନରେ ରାବଣ ପୋଡି ଅନୁଷ୍ଠିତ ହେବ ।
ସେପଟେ ମା’ଙ୍କ ଦର୍ଶନ ପାଇଁ ଜମୁଛି ଭିଡ଼ । ରାଜ୍ୟର ବିଭିନ୍ନ ପୂଜାମଣ୍ଡପଗୁଡ଼ିକରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ରହୁଛି । ପୂଜାମଣ୍ଡପ ଗୁଡ଼ିକ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଦୋକାନ ବଜାର ଏବଂ ଦୋଳି, ପୂଜା ମାହୋଲକୁ ଦ୍ୱିଗୁଣିତ କରିଦେଉଛି । କେତେକ ପୂଜାମଣ୍ଡପରେ ସୁନା, ଚାନ୍ଦି ଏବଂ ରୂପାରେ ସୁସଜ୍ଜିତ ହୋଇ ଝଲସୁଛି ମା’ଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତି ।
ଅନ୍ୟପଟେ ବିଜୟାଦଶମୀ ଅବସରରେ ଆଜି ବିଭିନ୍ନ ସ୍ଥାନରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଜୟାଦଶମୀ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା’ ଦୁର୍ଗା । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି । ଟ୍ବିନ ସିଟି କଟକ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡପ ମାନଙ୍କରେ ବେଶ ଭିଡ଼ ଦେଖିବାକୁ ମିଳୁଛି ।