ଭୁବନେଶ୍ବର: କେନ୍ଦ୍ରାପଡାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡାଙ୍କ ଆଜି ସକାଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଆଜି ସକାଳେ ତାଙ୍କର ପରଲୋକ ହୋଇଛି ବୋଲି ତାଙ୍କର ପୁଅ କଳିଙ୍ଗ କେଶରୀ ପରିଡା କହିଛନ୍ତି ।
ଅନ୍ୟପଟେ ଉତ୍କଳ କେଶରୀ ପରିଡା କେନ୍ଦ୍ରାପଡା ଡେରାବିଶ ବ୍ଲକ୍ ଅନ୍ତର୍ଗତ ସଲାରୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିଲେ । ସାଲେପୁର କଲେଜ ଛାତ୍ର ସଂସଦ ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ । ପରେ ଡେରାବିଶ ବ୍ଲକ ଚେୟାରମ୍ୟାନ ଭାବେ କାର୍ଯ୍ୟ କରିଥିଲେ । ୨୦୦୪ ରେ ସେ ଓଡ଼ିଶା ଗଣ ପରିଷଦ ଟିକେଟରେ ଲଢ଼ି କେନ୍ଦ୍ରାପଡା ର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ରୁ ୨୦୨୩ ପର୍ୟ୍ୟନ୍ତ କେନ୍ଦ୍ରାପଡା ଜିଲା ବିଜେଡି ସଭାପତି ଭାବେ ଦାୟିତ୍ୱ ତୁଲାଇ ଥିଲେ l
ଏହି ପରିପ୍ରେକ୍ଷୀରେ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ସେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଲୋକଙ୍କ ସେବା ଉନ୍ନତି ଦିଗରେ ତାଙ୍କର କାର୍ଯ୍ୟ ସ୍ମରଣୀୟ ରହିବ ବୋଲି ନବୀନ ପଟ୍ଟନାୟକ କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବି ପୂର୍ବତନ ବିଧାୟକଙ୍କ ମୃତ୍ୟୁରେ ଶୋକପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଜଣାଇଛନ୍ତି । ସେହିପରି ଉତ୍କଳ କେଶରୀ ପରିଡାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।