ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ପରାଜୟ କରିଛି l ଆଉ ଏହାରି ଭିତରେ ବିତିଗଲାଣି ଚାରି ମାସ l ଆଗରୁ ଚୁପ ବସିଥିବା ଦଳୀୟ ବରିଷ୍ଠ ନେତାମାନେ ଏବେ ଦଳ ଉପରକୁ ଯାଇ ନିଜର ମୁହଁ ଖୋଲିବା ଆରମ୍ଭ କଲେଣି l କାହିଁକି ବିଜେଡି ହାରିଲା? କେଉଁଠି ବ୍ୟତିକ୍ରମ ରହିଲା? ବୋଲି ଦର୍ଶାଇବା ସହିତ କିଛି ଦଳ ଉପରେ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି ।
ତେବେ ଏହାରି ଭିତରେ ଏବେ ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା ବିଜେଡିର ହାରିବାର ମୁଖ୍ୟ ୪ କାରଣ ଦର୍ଶାଇଛନ୍ତି । ଏନେଇ ପଦ୍ମନାଭ କହିଛନ୍ତି, ନିର୍ବାଚନରେ ଏହି ୪ କାରଣ ପାଇଁ ଆମେ ହାରିଲୁ । ପ୍ରାର୍ଥୀ, ଦଳର ସଭାପତି, କର୍ମକର୍ତ୍ତା ଓ ପାଣ୍ଠି ପାଇଁ ଦଳ ହାରିଲା ବୋଲି କହିଛନ୍ତି ପଦ୍ମନାଭ । ଏଥିସହିତ ବିଜେଡିର ଇସ୍ତାହାର ଠାରୁ ବିଜେପିର ଇସ୍ତାହାର ଲୋକଙ୍କୁ ଆକର୍ଷିତ କରିଥିଲା ବୋଲି ସେ କହିଛନ୍ତି । ସୁଭଦ୍ରା, ଏମଏସପି ୩୧ଶହ ଟଙ୍କା, ମାଗଣା ବିଜୁଳି ଭଳି ବିଜେପିର ପ୍ରତିଶ୍ରୁତି ବିଜେଡି ଉପରେ ଭାରି ପଡିଥିଲା ।
ବିଜେଡିର ଇସ୍ତାହାରର ପ୍ରସ୍ତାବ କିଛି ଗ୍ରହଣ ହେଲା, କିଛି ହେଲାନାହିଁ । ନବୀନ ବାବୁ ଆଉ ଟିକେ ଅଧିକ ପ୍ରଚାର କରିଥିଲେ ଭଲ ହୋଇଥାନ୍ତା ବୋଲି ମତ ରଖିଛନ୍ତି ପଦ୍ମନାଭ । ଅପରପକ୍ଷେ ବରିଷ୍ଠ ନେତା ପଦ୍ମନାଭ ବେହେରା କହିଛନ୍ତି ଯେ, ପରାଜୟ ପରେ ଆମେ ସବୁ ବିଷୟରେ ଦଳପତିଙ୍କୁ ଜଣାଇଛୁ। ସେ ସମୀକ୍ଷା କରୁଛନ୍ତି। ପଦକ୍ଷେପ ନେବେ। ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀ ତାଙ୍କ ବ୍ୟକ୍ତିଗତ ମତ ଦେଇଛନ୍ତି। ତାଙ୍କ କଥାରେ ସତ୍ୟତା ରହିଛି ନା ନାହିଁ ମୁଁ କହିପାରିବିନି। ସେ ଏବେ ଅନ୍ୟ ଦଳରେ ।