ନୂଆଦିଲ୍ଲୀ: ୨୩ ତାରିଖରେ ୱାୟନାଡ ଲୋକସଭା ଆସନରୁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ନାମାଙ୍କନ ଦାଖଲ ବେଳେ ତାଙ୍କ ଭାଇ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ରହିବେ। ପରେ ଉଭୟ ଏକ ରୋଡ ଶୋରେ ସାମିଲ ହେବେ । ସୂଚନା ଅନୁଯାୟୀ ଜୁନରେ ଅନୁଷ୍ଠିତ ନିର୍ବାଚନରେ ରାହୁଲ ଗାନ୍ଧୀ ୱାୟନାଡ଼ ଲୋକସଭା ଆସନ ଜିତିଥିଲେ । ୱାୟନାଡ଼ ବ୍ୟତୀତ ରାଏବରେଲିରୁ ମଧ୍ୟ ଜିତିଥିଲେ ରାହୁଲ ଗାନ୍ଧୀ । ଏଭଳି ସ୍ଥିତିରେ ସେ ପରେ ୱାୟାନାଡ ଆସନରୁ ଇସ୍ତଫା ଦେଇଥିଲେ ।
ଏହା ପରେ ଏଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । ୧୩ ନଭେମ୍ବରରେ ଏଠାରେ ମତଦାନ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ ୨୩ ନଭେମ୍ବରରେ ଘୋଷଣା କରାଯିବ । ଉପ-ନିର୍ବାଚନରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ଏଠାରୁ ପ୍ରାର୍ଥୀତ୍ବ କରୁଛନ୍ତି । ତାଙ୍କ ବିପକ୍ଷରେ ବିଜେପି ନବ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି । ସେହିପରି ବରିଷ୍ଠ ସିପିଆଇ ନେତା ସତ୍ୟନ ମୋକେରି ୱାୟାନାଡ ଆସନରେ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି । ସିପିଆଇ ରାଜ୍ୟ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସିପିଆଇ ସାଧାରଣ ସମ୍ପାଦକ ଡି.ରାଜାଙ୍କ ପତ୍ନୀ ଆନି ରାଜା ପୂର୍ବରୁ ୱାୟାନାଡ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଥିଲା ।
ଅନ୍ୟପଟେ କେରଳର ୱାୟନାଡ ଲୋକସଭା ଆସନରେ ଉପ ନିର୍ବାଚନ ନଭେମ୍ବର ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗ୍ୟାଜେଟ ନୋଟିଫିକେସନ ୧୮ ଅକ୍ଟୋବରରେ ପ୍ରକାଶ ପାଇବ। ନାମାଙ୍କନ ଦାଖଲ ଶେଷ ତାରିଖ ଅକ୍ଟୋବର ୨୫ ରହିଥିବା ବେଳେ ପ୍ରତ୍ୟାହାର ପାଇଁ ଅକ୍ଟୋବର ୩୦କୁ ଧାର୍ଯ୍ୟ କରାଯାଇଛି । ନଭେମ୍ବର ୧୩ରେ ଏଠାରେ ଭୋଟିଂ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ୨୦୧୯ରେ ରାହୁଲ ଗାନ୍ଧି ୱାୟନାଡରୁ ପ୍ରଥମଥର ନିର୍ବାଚନ ଲଢ଼ିବା ସହ ବିଜୟ ହୋଇଥିଲେ । ସେପଟେ ଯଦି ପ୍ରିୟଙ୍କା ଗାନ୍ଧି ବିଜୟୀ ହୁଅନ୍ତି, ତେବେ ପ୍ରଥମଥର ପାଇଁ ସଂସଦରେ ରାହୁଲ, ପ୍ରିୟଙ୍କା ଓ ସୋନିଆ ଗାନ୍ଧିଙ୍କୁ ଦେଖିବାକୁ ମିଳିବ ।