ଓଡ଼ିଶା

ବାତ୍ୟା ‘ଦାନା’; ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମ୍ପର୍କିତ ପ୍ରସ୍ତୁତି ବୈଠକ, ଦେଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’ l ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ଚିହ୍ନଟ କରି ବିପଦଶଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଶତପ୍ରତିଶତ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୨୪ ତାରିଖ ସକାଳ ସୁଦ୍ଧା ପୁରୀ ଓ ସାଗାରଦ୍ବୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଅଛି । ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି । ବୈଠକ ପରେ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାତ୍ୟା ପାଇଁ କେହି ଭୟଭୀତ ହେବାର ଆବଶ୍ୟକତା ନାହିଁ ।

ବାତ୍ୟାପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଅଗ୍ନୀଶମ ବାହିନୀ, ଓଡ୍ରାଫ ଟିମ୍ ଓ ଏନଡିଆରଏଫ ଟିମ୍ ସମସ୍ତେ ପ୍ରସ୍ତୁତ ଅଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ, ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଆବଶ୍ୟକୀୟ ଖାଦ୍ୟ ପଦାର୍ଥ, ପିଇବା ପାଣି, ଆବଶ୍ୟକୀୟ ଔଷଧ, ଶିଶୁ ଖାଦ୍ୟ ତୁରନ୍ତ ମହଜୁଦ ରଖିବା ସହିତ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ପରେ ବିଭିନ୍ନ ରାସ୍ତା ଘାଟରେ ଅବରୋଧ ଦୂର କରି ଯେପରି ବିଦ୍ୟୁତ, ପାଣି ଓ ଟେଲି ଯୋଗାଯୋଗ ପରି ମୌଳିକ ସେବା ତୁରନ୍ତ କାର୍ଯ୍ୟକ୍ଷମ ହେବ l ସେଥିପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଥିଲେ । ଡାକ୍ତରଖାନା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଗୁଡିକରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ସମୟରେ ଏବଂ ପରେ ଅତ୍ୟାବଶ୍ୟକ ସାମଗ୍ରୀର ଯେପରି ଦର ବୃଦ୍ଧି ନହୁଏ, ସେଥିପାଇଁ କଳାବଜାରୀଙ୍କ ଉପରେ ନଜର ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ବିଭିନ୍ନ ଜିଲ୍ଲା ମଧ୍ୟରେ ସମନ୍ୱୟ ରଖି ପ୍ରଭାବିତ ନ ହୋଇଥିବା ଅଞ୍ଚଳରୁ ଯେପରି ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆସିପାରିବ l ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ । ବାତ୍ୟା ସମୟରେ କୌଣସି ପ୍ରକାର ଗୁଜବ ଏବଂ ମିଥ୍ୟା ସୂଚନାକୁ ରୋକିବା ପାଇଁ SRCଙ୍କ ତରଫରୁ ନିୟମିତ ଭାବେ ଗଣମାଧ୍ୟମରେ ସୂଚନା ଦେବା ଆବଶ୍ୟକ ବୋଲି ସେ କହିଥିଲେ । ଏହା ସହିତ SRC, OSDMA, I&PR, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ବିଭାଗ, ଗୃହ ବିଭାଗର ସାମାଜିକ ଗଣାମଧ୍ୟମରେ ନିୟମିତଭାବେ ଅଧିକୃତ ସୂଚନା ପୋଷ୍ଟିଙ୍ଗ ହେବା ଆବଶ୍ୟକ ବୋଲି ସେ କହିଥିଲେ । ସବୁଠାରୁ ଅଧିକ ପ୍ରଭାବିତ ସ୍ଥାନକୁ ଚିହ୍ନିଟ କରି ଗୋଖାଦ୍ୟ ଓ କୁକୁଡା ଖାଦ୍ୟ ମହଜୁଦ ରଖିବା ବୋଲି ସେ କହିଥିଲେ । ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଗତ ଦିନମାନଙ୍କରେ ଯଦିଓ ପବନ ଯୋଗୁ କେହି ମୃତାହତ ହୋଇନାହାନ୍ତି, ଅନ୍ୟାନ୍ୟ କାରଣରୁ ମଧ୍ୟ ଜୀବନ ହାନି ଘଟିଥାଏ ।

ଯେପରିକି ମାଟି କାନ୍ଥ ପଡି ମୃତ୍ୟୁ ହେବା । ଏସବୁକୁ ରୋକିବା ପାଇଁ ସମସ୍ତ ଦୁର୍ବଳ ଘରକୁ ଚିହ୍ନଟ କରି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ଉଚିତ । ତେଣୁ ସବୁ ସହରାଞ୍ଚଳ ବିଶେଷ ଭାବେ ଭୁବନେଶ୍ଵର, କଟକ, ପୁରୀ ଏବଂ ବ୍ରହ୍ମପୁର ସହରରୁ ସବୁ ଦୁର୍ବଳକୁ ତୁରନ୍ତ ଚିହ୍ନଟ କରି ସେସବୁକୁ ହଟାଯିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂହ, ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡଙ୍ଗୀ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com