ଓଡ଼ିଶା

ଆଜି ଦୀପାବଳି: ଶ୍ରୀମନ୍ଦିରରେ ପାଳନ ହେବ ନୀତି, କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଭକ୍ତ

ପୁରୀ: ଦୀପାବଳି ଅମାବାସ୍ୟା ମାକାଳୀଙ୍କ ପୂଜା ପାଳନକୁ ନେଇ ଉପୁଜିଥିଲା ଦ୍ଵନ୍ଦ l ଯାହାକି ପରବର୍ତ୍ତୀ ସମୟରେ ଦୁଇଦିନ ପାଳନ କରିବା ପାଇଁ ସ୍ଥିର କରିଲେ ପଞ୍ଜିକାର l ପରେ କୁହାଯାଇଥିଲା କି, କେଉଁ ଦିନ କଣ ପୂଜା ପାଳନ କରାଯିବ l ଏହା ପରେ ଗତକାଲି ଅର୍ଥାତ ଗୁରୁବାର ଦିନ ଦୀପାବଳି ପାଳନ କରାଯାଇଥିବା ବେଳେ, ଆଜି ପୟା ଶ୍ରାଦ୍ଧ ସହ ବଡ଼ବଡ଼ିଆ ପୂଜା ପାଳନ କରାଯିବ l ଏନେଇ ଆଜି ଶ୍ରୀମନ୍ଦିରରେ ଦୀପାବଳି ପାଳନ ସହ ଅମାବାସ୍ୟା ନୀତି ହେବ । ଏଥିସହ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡ଼ିଆଙ୍କୁ କାଉଁରିଆ କାଠି ଜାଳିବେ ।

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୀପାବଳି ଓ ପୟାଶ୍ରାଦ୍ଧରେ ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।‌ । ସିଂହଦ୍ୱାର ସମ୍ମୁଖରେ କାଉଡିଆ ଜାଳିବା ସହ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ଏହି ସମୟରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍‌ ନିୟନ୍ତ୍ରଣ ଲାଗି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୩ଜଣ ଅତିରିକ୍ତ ଏସ୍‌ପିଙ୍କ ସମେତ ୧୧ଜଣ ଡିଏସ୍‌ପି, ୧୮ ଜଣ ଇନିସ୍‌ପେକ୍ଟର ଓ ୨୭ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ସେହିଭଳି ହବିଷ୍ୟାଳିମାନଙ୍କ ରହଣି ସ୍ଥାନ ସହିତ ବିଭିନ୍ନ ପୁଷ୍କରିଣୀରେ ମଧ୍ୟ ପୁଲିସ ମୁତୟନ ହୋଇଛନ୍ତି । ସାକ୍ଷୀଗୋପାଳ ବୀରଗୋବିନ୍ଦପୁରସ୍ଥିତ ଦକ୍ଷିଣକାଳୀ ନିକଟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଦର୍ଶନ ସୁବିଧା ଲାଗି ଜଣେ ଅତିରିକ୍ତ ଏସ୍‌ପି, ୩ଜଣ ଡିଏସ୍‌ପି, ୮ ଜଣ ଇନିସ୍‌ପେକ୍ଟର ଓ ୬ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି ।

ଅପରପକ୍ଷେ ଗତକାଲି ଚତୁର୍ଦ୍ଦଶୀ ଥିବାରୁ ରାତିରେ କେବଳ କାଳୀପୂଜା ହେବା କଥା । ଅମାବାସ୍ୟା ତିଥି ଆଜି ଉଭୟ ସକାଳ ଓ ସଂଧ୍ୟା ଯାଏଁ ରହୁଥିବାରୁ ଆଜି ହିଁ ଶ୍ରୀମନ୍ଦିରରେ ଦୀପାବଳି ଓ ପୟାଶ୍ରାଦ୍ଧ ପାଇଁ ସ୍ଥିର ହୋଇଛି । କିନ୍ତୁ ପଞ୍ଜିକା ବିଭ୍ରାନ୍ତିରୁ ପର୍ବପର୍ବାଣୀ ପାଳନରେ ବାରମ୍ବାର ଏଭଳି ସ୍ଥିତି ଉପୁଜୁଛି । ଏହା ଉପରେ ଆଇନମନ୍ତ୍ରୀ, ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ସମସ୍ତେ ହସ୍ତକ୍ଷେପ କରି ବାଟ ବାହାର କରିବାକୁ ଦାବି କରିଛନ୍ତି ଜ୍ୟୋତିର୍ବିଦ୍ । ସେହିପରି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ କହିଥିଲେ।, ପାଞ୍ଜି ତ୍ରୁଟି ଆଜିର ସମସ୍ୟା ନୁହେଁ, କେତେବର୍ଷ ଧରି ଏହା ଜାରି ରହିଛି। ଜ୍ୟୋତିଷମାନେ ଯେଭଁଭଳି ଭାବେ ପରିଶ୍ରମ କରିବା କଥା, ସେହିଭଳି କରୁନାହାନ୍ତି। ପାଶ୍ଚାତ୍ୟ ଦେଶକୁ ନକଲ କରୁଛନ୍ତି। ଅପରପକ୍ଷରେ ଯେଉଁମାନଙ୍କ ଅଧିକ ଜ୍ଞାନ ନାହିଁ ସେମାନେ ମଧ୍ୟ ପାଞ୍ଜି ପ୍ରସ୍ତୁତ କରୁଛନ୍ତି। ତାହା ଠିକ୍‌ ନୁହେଁ। ତେବେ ଏ ନେଇ ମୋ’ ସହ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରୁନାହାନ୍ତି। ଆଲୋଚନା କଲେ ମୁଁ ଏହା ଉପରେ ମତ ରଖିବି ବୋଲି ଶଙ୍କରାଚାର୍ଯ୍ୟ ପ୍ରକାଶ କରିଥିଲେ ।

Related Articles

Back to top button