ଭୁବନେଶ୍ୱର: ପୁଣି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି ବିଜେଡି ରାଜ୍ୟସଭା ସାଂସଦ ମୁନାଁ ଖାଁଙ୍କ ବିସ୍ଫୋରକ ବୟାନ । ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ମୁନ୍ନା ଖାଁ କହିଛନ୍ତି, ବିଜେଡି ସରକାରକୁ ଆସିବା ପାଇଁ ଆମକୁ ୫ ବର୍ଷ ଯାଏ ଅପେକ୍ଷା କରିବାକୁ ପଡ଼ି ନପାରେ । ବିଜେପି ପାଖରେ ପ୍ରାର୍ଥୀ ନଥିଲେ । ଆମର ଅଧିକାଂଶ ଲୋକ ସେଠି ଅଛନ୍ତି ବୋଲି ମୁନ୍ନା କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ସଭାରେ କହିଛି ବିଜେପି ବିଧାୟକ ବିଜେଡି ସହ ଲିଙ୍କ୍ରେ ଅଛନ୍ତି । ମିଡିଆ ସାମ୍ନାରେ କିଛି କହିନାହିଁ । ଯାହା କହିଛି କର୍ମୀଙ୍କୁ କହିଛି। ଏହା ଆମର ରଣନୀତି । ମୁଁ ଏହାକୁ ମିଡିଆ ସାମ୍ନାରେ କହିପାରିବିନି । ସମୟକୁ ଅପେକ୍ଷା କରନ୍ତୁ ବୋଲି ସେ କହିଛନ୍ତି । ନିର୍ବାଚନ ପୂର୍ବରୁ ବିଜେଡି ଛାଡି ୨୨ ନେତା ବିଜେପିରେ ଯୋଗ ଦେଇଥିଲେ । ଏବେ ସେମାନେ ବିଜେପି ଟିକେଟ ପାଇ ବିଧାୟକ ହୋଇଛନ୍ତି । ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍ରେ ଅଛନ୍ତି । ସେ ଆହୁରି କହିଛନ୍ତି, ବିଜେପି ନିର୍ବାଚନରେ ଯାହା ପ୍ରତିଶୃତି ଦେଇଥିଲା ତାହା ପୂରଣ କରିବାରେ ବିଫଳ ହୋଇଛି । ତେଣୁ ଆଜି ଯଦି ନିର୍ବାଚନ ହେବ ତେବେ ବିଜେଡିକୁ ୧୦୦ ସିଟ ମିଳିବା ନିଶ୍ଚିତ । କାରଣ ଏବେ ମଧ୍ୟ ୯୦ପ୍ରତିଶତ ବ୍ଲକ ଏବଂ ଜିଲା ପରିଷଦ ବିଜେଡି ଦଖଲରେ ହିଁ ରହିଛି ।
ସୂଚନା ମୁତାବକ, ନବରଙ୍ଗପୁରରେ ଆୟୋଜିତ ପଦଯାତ୍ରାରେ ବିଜେଡିର ହେଭିୱେଟ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମୁନ୍ନା ଖାଁ ଦେଇଥିବା ବୟାନ ଏବେ ଚାରିଆଡେ କମ୍ପନ ସୃଷ୍ଟି କରିଛି । ସେହିଭଳି ବିଜେପି ନେତା ଜୟନାରାୟଣଙ୍କ ବିଜେଡି ଭାଙ୍ଗିବା ବୟାନ ଉପରେ ପ୍ରତିକ୍ରିୟା ଦେଇ ମୁନା କହିଛନ୍ତି, ଜୟନାରାୟଣ ମିଶ୍ର ମୋ ବଡ ଭାଇ । ସାନ ଭାଇ ହିସାବରେ ତାଙ୍କୁ ପରାମର୍ଶ ଦେବି, ଦଳ ତାଙ୍କ ବିଷୟରେ ଚିନ୍ତା କଲା ନାହିଁ, ସେ କାହିଁକି ଦଳ ବିଷୟରେ ଚିନ୍ତା କରୁଛନ୍ତି । ସେ କେଉଁଠି ରହିବା କଥା, ଆଉ ଏବେ ସେ ଦଳରେ କେଉଁଠି ଅଛନ୍ତି । ତେଣୁ ଖାଲିଟାରେ ଦଳ କଥା ଭାବି ଜୟନାରାୟଣ ତାଙ୍କ ବିପି ବଢାନ୍ତୁନି ବୋଲି କହି କଟାକ୍ଷ କରିଥିଲେ ମୁନା ।
ଅନ୍ୟପଟେ ଯାହାର ଜବାବରେ ମୁନାଙ୍କୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି, ଆଗାମୀ ଶତାବ୍ଦୀ ଯାଏଁ ବିଜେଡି କ୍ଷମତାକୁ ଆସିବନି । ମୁନା ଖାଁ ଦିନରେ ଚେଇଁକି ସ୍ବପ୍ନ ଦେଖୁଛନ୍ତି । ସ୍ବପ୍ନ ଦେଖିବାକୁ କାହାକୁ ମନା ନାହିଁ । ବିଜେଡିର ଆୟୁଷ ବୟୁତ କମ୍ । ସରକାର ତ ଦୂରର କଥା । ୨୦୨୯ ବେଳକୁ ବିଜେଡି ନଥିବ ବୋଲି କହିଛନ୍ତି ଜୟନାରାୟଣ । ଏମିତି କହି ବିଜେଡି ନେତା ଖାଲି ତାଙ୍କ ମୁଖିଆଙ୍କୁ ଖୁସି କରିବାକୁ ଚାହୁଁଛନ୍ତି । ଏଥିସହିତ ସେ କହିଛନ୍ତି, ମୁଁ ମୋ ନିଜ କଥା ବୁଝିବି, ମୁନା ଖାଁଙ୍କ ମୋ ପାଇଁ ମୁଣ୍ଡ ବ୍ୟଥା କାହିଁକି ହେଉଛି ବୋଲି କହି କଡା ଜବାବ ଦେଇଛନ୍ତି ।