ଏକଲବ୍ୟ ପୁରସ୍କାର ପାଇଲେ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ
ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ପାଇଲେ ଚଳିତ ବର୍ଷର ସମ୍ମାଜନକ ‘ଏକଲବ୍ୟ ପୁରସ୍କାର’। ପ୍ରତ୍ୟାଶା ଉଭୟ ଜୁନିଅର ଓ ସିନିଅର ବର୍ଗରେ ଜାତୀୟ ଓ ଆନ୍ତର୍ଜାତୀୟ ପଦକ ପାଇଛନ୍ତି । ତାଙ୍କୁ ପୁରସ୍କାର ବାବଦରେ ୭ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଏହି ଅବସରରେତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ସେପଟେ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଧାବକ ଦଣ୍ଡପତି ମୃତ୍ୟୁମ୍ ଜୟରାମ ଓ ବ୍ୟାଡ୍ମିଣ୍ଟନ ଖେଳାଳି ତନ୍ଭୀ ପତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ସେମାନଙ୍କୁ ମାନପତ୍ର ସହ ୧.୫ ଲକ୍ଷ ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି ।
ସୂଚନା ମୁତାବକ, ପୂର୍ବରୁ ଏକଲବ୍ୟ ପୁରସ୍କାର ଅର୍ଥରାଶି ୫ଲକ୍ଷ ଟଙ୍କା ଥିଲା । IMFAର ଇମ୍ପାକ୍ଟ ପକ୍ଷରୁ ୧୯୯୩ ମସିହାରୁ ଏହି ସମ୍ମାନ ଜନକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଛି । ଭାରତର ପ୍ରମୁଖ ଫେରୋ ଆଲଏଜ୍ ଉତ୍ପାଦନକାରୀ କମ୍ପାନୀ (ଇମ୍ଫା) ଦ୍ୱାରା ପରିଚାଳିତ ‘ଇଣ୍ଡିଆନ୍ ମେଟାଲସ୍ ପବ୍ଳିକ୍ ଚାରିଟେବଲ୍ ଟ୍ରଷ୍ଟ’ (ଇମ୍ପାକ୍ଟ) ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରିଥିଲା । ଜାତୀୟସ୍ତରର ବହୁ ପୁରସ୍କାର ସହ ଏବେ ଏହା ଓଡ଼ିଶାର ସବୁଠାରୁ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ରୂପେ ପରିଗଣିତ। କ୍ରୀଡ଼ା କ୍ଷେତ୍ରରେ ବିଗତ ଦୁଇବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡ଼ାବିତମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ ।