ଓଡ଼ିଶା

ବିକାଶ ଧାରେ ଯୋଡ଼ି ହେବ ଶାନ୍ତି-ମୈତ୍ରୀର ଧଉଳି ପାହାଡ଼: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଏକ ସାଧାରଣ ପାହାଡ ନୁହେଁ ଧଉଳି l ଓଡିଶା ଇତିହାସର ଏକ ଗୌରବମୟ ଅତୀତକୁ ଛାତିରେ ଧରି ରଖିଛି ଏହି ଧଉଳି ପାହାଡ଼। କଳିଙ୍ଗର ବୀର ସନ୍ତାନଙ୍କ ସୌର୍ଯ୍ୟ, ସାହାସ ଓ ସାମର୍ଥ୍ୟର ପ୍ରତୀକ ଏହି ଧଉଳି । ଓଡିଆ ବୀର ସନ୍ତାନଙ୍କ ଲୁହ ଆଉ ରକ୍ତରେ ଏକାକାର ହୋଇଥିବା ତ୍ୟାଗର ତୀର୍ଥସ୍ଥଳୀ ଏହି ଧଉଳି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧଉଳି ଶାନ୍ତି ସ୍ତୁପର ୫୨ତମ ପ୍ରତିଷ୍ଠା ଦିବସ ଅବସରରେ କହିଛନ୍ତି । ଏହି ଅବସରରେ ଧଉଳି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖ୍ରୀଷ୍ଟପୂର୍ବ ୨୬୧ରେ ଲୋମହର୍ଷଣକାରୀ କଳିଙ୍ଗ ଯୁଦ୍ଧ ପରେ ଏହିଠାରୁ ଶାନ୍ତିକୁ ଜୀବନର ବ୍ରତ କରି ବୌଦ୍ଧ ଧର୍ମକୁ ଗ୍ରହଣ କରିଥିଲେ ସମ୍ରାଟ ଅଶୋକ ।

ଆଜକୁ ୫୨ ବର୍ଷ ତଳେ ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଏହି ଶାନ୍ତିର ସ୍ତୁପ । ସେବେଠାରୁ ଏବେ ପର୍ଯ୍ୟନ୍ତ ଶାନ୍ତି ଆଉ ମୈତ୍ରୀର ପ୍ରତୀକ ସାଜିଛି ଏହି ଧଉଳି ସ୍ତୁପ l ତେବେ ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ବୌଦ୍ଧ ଧର୍ମ ସମ୍ପର୍କରେ ଯେବେ ଆଲୋଚନା କରାଯାଏ ସେତେବେଳେ ଓଡିଶାର ନା ସବୁଠାରୁ ଆଗରେ ଆସିଥାଏ । ଓଡିଶାରେ ବୌଦ୍ଧ ଧର୍ମର ଯେତେ ପ୍ରଚାର ପ୍ରସାର ହୋଇଥିଲା ଏବଂ ଯେତେ ବୌଦ୍ଧ ବିହାର ଓଡିଶାରେ ଦେଖିବାକୁ ମିଳେ ତାହା ଭାରତବର୍ଷର ଅନ୍ୟ କୌଣସି ପ୍ରଦେଶରେ ଦେଖିବାକୁ ମିଳେ ନାହିଁ ।

ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀଠାରୁ ଓଡିଶାରେ ବୌଦ୍ଧ ଧର୍ମର ପ୍ରସାର ଘଟିଥିଲା । ଧଉଳି ପାଦ ଦେଶରେ ଦୟାନଦୀ କୂଳରେ ଭାରତ ଇତିହାସରେ ଏକ ନିର୍ଣ୍ଣାୟକ ମୋଡ ଆସିଥିଲା । ମଗଧର ସମ୍ରାଟ ଅଶୋକଙ୍କୁ କଳିଙ୍ଗ ଯୁଦ୍ଧର ବିଭୀଷିକା ଧର୍ମାଶୋକରେ ପରିଣତ କରିଥିଲା । ସମ୍ରାଟ ଅଶୋକ ଦେଶ ବିଦେଶରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ନିଜ ପୁତ୍ର ମହେନ୍ଦ୍ର ଏବଂ କନ୍ୟା ସଙ୍ଘମିତ୍ରାଙ୍କୁ ସିଂହଳ ଦେଶକୁ ଏହି ଓଡିଶାରୁ ପଠାଇଥିବା ବିଶ୍ବାସ କରାଯାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଅନ୍ୟପଟେ ଧଉଳି ପାହାଡ଼ର ବିକାଶ କରିବା ଦିଗରେ କହିଛନ୍ତି ଯେ, ଧଉଳି ଶାନ୍ତି ସ୍ତୁପର ଆହୁରି ବିକାଶ କରାଯିବ ଏବଂ ଆଖପାଖ ଅଞ୍ଚଳର ବ୍ୟାପକ ଉନ୍ନତିକରଣ କରାଯିବ । ଧଉଳି ସମେତ ଆମର ସବୁ ଐତିହ୍ୟ ସ୍ଥଳୀଗୁଡିକର ବିକାଶ ପାଇଁ ସମନ୍ବିତ ଯୋଜନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ବିଶିଷ୍ଟ ବୌଦ୍ଧ ସନ୍ୟାସୀ ଟି ଓକଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଧଉଳି ଶାନ୍ତି ସ୍ତୁପର ଏକ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ,ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂହ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com