ହିତାଧିକାରୀଙ୍କୁ ଆଗୁଆ 3ମାସର ଚାଉଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ବର୍ତ୍ତମାନ ରାଜନୀତି ତେଜିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭାବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମୀକ୍ଷା ଅବସରରେ ହିତାଧିକାରୀଙ୍କୁ ଅକ୍ଟୋବରରୁ ଡିସେମ୍ବର ୩ ମାସ ଲାଗି ଆଗୁଆ ୧୫ କିଲୋ ଲେଖାଏଁ ଚାଉଳ ଯୋଗାଇ ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଭାଗ ଏବେ ତତ୍ପରତା ପ୍ରକାଶ କରି ହିତାଧିକାରୀଙ୍କୁ ଚାଉଳ ଯୋଗାଣ ଆରମ୍ଭ କରିଛି ।
ଏହା ପୂର୍ବରୁ ୩ ମାସ ଅର୍ଥାତ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ଲାଗି ହୋଇଥିବା ଆବଣ୍ଟନ ନିର୍ଦ୍ଦେଶ ସତ୍ୱେ ହିତାଧିକାରୀଙ୍କୁ ଚାଉଳ ଦିଆନଯିବାରୁ ଏଭଳି ଉଦବେଗଜନକ ପରିସ୍ଥିତି ସୃଷ୍ଟି ହେଲା । ସେଥିପାଇଁ କନ୍ଧମାଳରେ ନିଯୁକ୍ତ ସାଧାରଣ ଯୋଗାଣ ଅଧିକାରୀ ସମ୍ପୂର୍ଣ୍ଣ ରୂପେ ଦାୟୀ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି । ଏହି ଅଧିକାରୀ କନ୍ଧମାଳରେ ନିଯୁକ୍ତ ହେଲେ ମଧ୍ୟ ମାସର ଅଧିକାଂଶ ସମୟ ଭୁବନେଶ୍ୱରରେ ରହୁଥିବାରୁ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ବଦଳି ହେବା ଲାଗି ମସୁଧା ଚଳାଇଥିବାରୁ କନ୍ଧମାଳର ହିତାଧିକାରୀଙ୍କୁ ଚାଉଳ ଦିଆଗଲା କି ନଦିଆଗଲା ସେ ସମ୍ପର୍କରେ ତାଙ୍କ ପାଖରେ କୌଣସି ଖବର ନଥିଲା ।
ପୁନଶ୍ଚ ପ୍ରତି ହିତାଧିକାରୀଙ୍କୁ ୧୩ କିଲୋ ଲେଖାଏଁ ମାଣ୍ଡିଆ ଯୋଗାଣ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଅଳ୍ପ କିଛି ହିତାଧିକାରୀଙ୍କୁ ସାମାନ୍ୟ ବଣ୍ଟନ କରି ଟିକାବାଲି ଏବଂ ବାଲିଗୁଡା ଟିଡ଼ିସିସି ଗୋଦାମରେ ଥିବା ପ୍ରାୟ ୧୦ ହଜାର କ୍ୱିଣ୍ଟାଲ ମାଣ୍ଡିଆ, ଯାହାର ଆନୁମାନିକ ବଜାର ମୂଲ୍ୟ ହାରାହାରି ସାଢେ ୩ କୋଟି ଟଙ୍କାରୁ ଅଧିକ ହେବ l ତାହାକୁ ଚଂଚକତା କରି ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି ।
ଯୋଗାଣ ବିଭାଗ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କୁ ହାତ କରି ଏହି ସାଧାରଣ ଯୋଗାଣ ଅଧିକାରୀ ବଦଳି ଲାଗି ଉଦ୍ୟମ ଚଳାଇଛନ୍ତି । ଆମ୍ବ ଟାକୁଆ ଜାଉ ଖାଇ କିଛି ହିତାଧିକାରୀ ମୃତ୍ୟୁମୁଖରେ ପଡିବା ପରେ କେତେକ ହିତାଧିକାରୀଙ୍କ ଖାତାରେ ସେପ୍ଟେମ୍ବର ମାସର ଚାଉଳ ଏବଂ ମାଗଣା ମାଣ୍ଡିଆ ଦିଆଯାଇଛି ବୋଲି ମିଥ୍ୟାରେ ଏଣ୍ଟ୍ରି କରିଦିଆଯାଇଛି । ଏଭଳି ସ୍ପର୍ଶକାତର ଘଟଣା ପାଇଁ ଦାୟୀ ଥିବା ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଜିଲ୍ଲା ବିଭାଗୀୟ କର୍ମଚାରୀମାନେ ଯେମିତି ଖସି ନଯାଆନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।