ଭୁବନେଶ୍ୱର: ଆରମ୍ଭରୁ ଧୋଇଗଲା ପ୍ରଶ୍ନକାଳ । ବିରୋଧୀଙ୍କ ଗର୍ଜନରେ ମୁଲତବୀ ହେଲା ଗୃହ । ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ପ୍ରଥମେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୃହକାର୍ଯ୍ୟ ଆରମ୍ଭରୁ ପ୍ରଥମେ ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ଗୃହରେ ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନର ଉତ୍ତର ରଖୁଥିବା ସମୟରେ ବିଜେଡି ପକ୍ଷରୁ ଆରମ୍ଭ ହୋଇଥିଲା ହଟ୍ଟଗୋଳ । ବାଚସ୍ପତି ସୁରମା ପାଢୀ ଗୃହକୁ ସ୍ୱାଭାବିକ କରିବା ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ମଧ୍ୟ ପୋଡିୟମ ପାଖରେ ହୋ ହଲ୍ଲା କରିଥିଲେ ବିରୋଧୀ ବିଜେଡି ଦଳର ସଦସ୍ୟ । ଯେଉଁଥି ପାଇଁ ଗୃହକୁ ୧୨ଟା ୨୫ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ତେବେ ଅପରାହ୍ନରେ ଗୃହରେ ଅତିରିକ୍ତ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପୂର୍ବ କଥା ଯଦି ଦେଖିବା ତେବେ ପ୍ରଥମ ଦିନରୁ ହିଁ ଶାସକ ଦଳକୁ ଘେରିବା ପାଇଁ ପୂର୍ବ ପ୍ରସ୍ତୁତି କରିଥିଲେ ବିରୋଧୀ ଦଳର ସଦସ୍ୟମାନେ । ଆମ୍ବ ଟାକୁଆ ମୃତୁୃ୍ୟ ଘଟଣା, ଧାନକିଣାରେ ଅବ୍ୟବସ୍ଥା, ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡିବା ହେଉ ଅବା ଆଦାନି ଓ ଗନ୍ଧମାର୍ଦ୍ଦନ ପର୍ବତ ଘଟଣା ପରି ଉଷ୍ମ ପ୍ରସଙ୍ଗକୁ ଭିତ୍ତି କରି ସରକାରଙ୍କୁ ହରଡଘଣାରେ ପକାଇବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ କରିଥିଲେ ଉଭୟ ବିଜେଡି ଓ କଂଗ୍ରେସ ।
ସେପଟେ ସରକାର ମଧ୍ୟ ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ଉତ୍ତରର ଏକ ଲମ୍ବା ଚିଠି ପ୍ରସ୍ତୁତ କରିଥିଲେ । ତେବେ ପ୍ରଥମ ଦିନରୁ ହିଁ ଏଭଳି ତମ୍ବିତୋଫାନ ମଧ୍ୟରେ ଗୃହକାର୍ଯ୍ୟ ସ୍ୱାଭାବିକ ହେଉଛି ନା ପ୍ରଶ୍ନକାଳ ଧୋଇ ଯାଉଛି ତାହା ଦେଖିବା ବାକି ରହିଲା