ଭୁବନେଶ୍ୱର: ଚାଲିଛି ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନ । ଗୃହ ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ଜଳସମ୍ପଦ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ପରେ ଗୃହରେ ଶିଶୁ ବିକ୍ରି , ଆମ୍ବ ଟାକୁଆ ଖାଇ ଆଦିବାସୀ ମୃତ୍ୟୁ ଓ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ।
ତେବେ ଜଳ ସମ୍ପଦ, ରାଜସ୍ଵ ବିପର୍ୟ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଯୋଜନା ଓ ସଂଯୋଜନା, ବାଣିଜ୍ୟ, ପରିବହନ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରଶ୍ନକାଳ ରହିଛି । ଶୂନ୍ୟ କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଉଠାଇବେ।
ଅନ୍ୟପଟେ ବିରୋଧୀଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ। କମିଟି ରିପୋର୍ଟ ସହ କାର୍ୟ୍ୟ ପରାମର୍ଶଦାତା ରିପୋର୍ଟର ସୁପାରିସ ଏବଂ ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ ୨୦୨୪କୁ ବିଚାରକୁ ନିଆଯାଉ ବୋଲି ପ୍ରସ୍ତାବ ରଖିବେ ମୁଖ୍ୟମନ୍ତ୍ରୀ। ସେହିପରି ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ ୨୦୨୪କୁ ବିଚାରକୁ ନିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ପ୍ରସ୍ତାବ ରଖିପାରନ୍ତି ।