
ଯାଜପୁର: ଯାଜପୁରର କୁସୁମା ବଙ୍ଗଳା । ଯାହାକୁ ନେଇ କିଛି ଦିନ ତଳେ ହଲଚଲ ହୋଇଥିଲା ରାଜ୍ୟ ରାଜନୀତି । କୁସୁମାରେ କେଳେଙ୍କାରୀ ନେଇ ଘନେଇଥିଲା ବିବାଦ । ଯେଉଁଥି ପାଇଁ ଅଡୁଆରେ ପଡିଥିଲେ ବବି ଦାସଙ୍କ ସମେତ ଜିଲ୍ଲା ପ୍ରଶାସନ । ଏପରିକି କେତେ ଟଙ୍କା ଖର୍ଚ୍ଚ ହୋଇଥିଲା, କିଏ ଏହାକୁ ଉପଭୋଗ କରୁଥିଲା, ସାଧାରଣ ଲୋକଙ୍କୁ କାହିଁକି ଛଡା ଯାଉନଥିଲା, କାହା ଅନୁମତିରେ ବିରାଟକାୟ ବଙ୍ଗଳା ତିଆରି ହୋଇଥ୍ିଲା, ଏମିତି ଅନେକ ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ବିଜେପି କରିଥିଲା ଜୋରଦାର ହଙ୍ଗାମା । ଏଥିରେ ବବିଙ୍କ ସହ ଜିଲ୍ଲା ପ୍ରଶସନର ଭୂମିକା ଥିବା ମଧ୍ୟ ଅଭିଯୋଗ ଆଣିଥିଲା ଶାସକ ଦଳ ।
ସେହିପରି ନିକଟରେ ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣଙ୍କୁ ନେଇ ଏକ ବୈଠକ କରିଥିଲା ବିଜେଡି । ଯେଉଁଥିରେ କୁସୁମା ବିବାଦ ସମେତ ଅନ୍ୟାନ ପ୍ରସଙ୍ଗ ନେଇ ଜିଲ୍ଲାପାଳଙ୍କ ଉପରେ ଚାପ ପକାଯାଉଥିଲା । ଏଭଳି କିଛି ଚର୍ଚ୍ଚା ରାଜନୈତିକ ମହଲରେ ଜୋର ଧରିଥିଲା । ଏହାରି ଭିତରେ ଏକ ବଡ ଆକସନ ନେଇଛି ବିଜେପି ସରକାର । ବୁଧବାର ଆଇଏଏସ ସ୍ତରରେ କରିଛି ବଡଧରଣର ଅଦଳବଦଳ । ମୋଟ ୨୨ଜଣ ଆଇଏଏସଙ୍କୁ ସ୍ଥାନନ୍ତର କରିଥିବା ବେଳେ, ସେଥିରେ ରହିଛନ୍ତି ନିଖିଳ ପୱନ କଲ୍ୟାଣ । ଯିଏକି କୁସୁମା ବିବାଦ ବେଳେ ଥିଲେ ଯାଜପୁର ଜିଲ୍ଲାପାଳ । ଆଉ ପୂର୍ବ ବିଜେଡି ସରକାରର ଆଶୀର୍ବାଦ ତାଙ୍କ ମୁଣ୍ଡ ଉପରେ ଥିବା ନେଇ ଆଲୋଚନା କରୁଥିଲେ ସାଧାରଣ ଲୋକେ । ହେଲେ ନୂଆ ସରକାର ଆସିବା ପରେ ତାଙ୍କୁ ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନତିକରଣ ବିଭାଗକୁ ସ୍ଥାନାନ୍ତର କରାଯାଇଛି । ତେଣୁ କୁହାଯାଉଛି କି ପୱନ କଲ୍ୟାଣଙ୍କୁ ଭାରି ପଡିଲା କୁସୁମା ।