ଭୁବନେଶ୍ୱର: ରାଜ୍ୟରେ ଆଳୁକୁ ନେଇ ଥମୁନି ସମସ୍ୟା । ଯେଉଁ ସଙ୍କଟ ଦେଖାଯାଉଛି ତାକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ମତ ଓ ବଜାର ହାଲଚାଲ ମଧ୍ୟରେ ମେଳ ଖାଉନି ତାଳମେଳ । ଆଳୁ ପାଇଁ ବଜାରରେ ଦରରେ ନିଆଁ ଦେଖିବାକୁ ମିଳୁଛି । ପୂର୍ବରେ ଆଳୁ ବଜାରରେ ଦର ୩୦ ଥିଲା । ଏବେ ତାହା ୫୦ ଛୁଇଁଲାଣି । ଆଳୁର ଆମଦାନିକୁ ଦେଖି ଗ୍ରାହକଙ୍କୁ ମନଇଚ୍ଛା ଦରରେ ବିକୁଛନ୍ତି ବେପାରୀ । କିନ୍ତୁ ମନ୍ତ୍ରୀଙ୍କ ବୟାନ ଅନୁସାରେ ରାଜ୍ୟରେ ଆଳୁକୁ ନେଇ ସ୍ୱାଭାବିକ ଅଛି ଚିତ୍ର । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଜନଅସନ୍ତୋଷ ।
ନିକଟ ଅତୀତରେ ପଶ୍ଚିମବଙ୍ଗ ସରକାର କୌଣସି ରାଜ୍ୟକୁ ଆଳୁ ଦେବାକୁ ମନା କରିବା ପରେ ପୁଣି ରାଜ୍ୟରେ ତେଜିଥିଲା ଆଳୁ ସମସ୍ୟା । ରାତିଆରାତି ଆଳୁ ୪୦-୫୦ ଛୁଇଁଥିଲା । ଏହାକୁ ନେଇ ଉତ୍ତରପ୍ରଦେଶରୁ ୩୦୦ ଟ୍ରକ ଆଳୁ ଆଣିଥିବା ନେଇ ସୂଚନା ଦେଇଥିଲେ । ହେଲେ ଗାଡି ଆସିବା ପରେ ଆଳୁ ବଜାରରେ ବିଶେଷ କିଛି ଫରକ ଦେଖିବାକୁ ପଡିନଥିଲା । ଯେଉଁଠି ଲୋକେ ୧୦୦ ଟଙ୍କା ୩ କିଲୋ ଆଳୁ ନେଉଥିଲେ । ସେଠି ଏବେ ୨ କିଲୋ ଆଣୁଥିବା ଅଭିଯୋଗ କରିଛନ୍ତି ଖାଉଟି ।