ଭୁବନେଶ୍ୱର: ମନମୋହନଙ୍କ ବଡ଼ ବୟାନ । ରାଜ୍ୟସଭା ରେସକୁ ନେଇ ତାଙ୍କ ମନ୍ତବ୍ୟ ପରେ ଏବେ ସ୍ପଷ୍ଟ ହେବ ଚିତ୍ର ନା ଆହୁରି ବଢିବ ସସପେନ୍ସ । ଗଣମାଧ୍ୟମ ଆଗରେ ରାଜ୍ୟସଭା କ୍ୟାଣ୍ଡିଡେଟକୁ ନେଇ କିଛି ଏପରି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ରାଜ୍ୟସଭା ରେସ୍ରେ ମୁଁ ନାହିଁ। ମୋ ନାଁ ନେଇ ଯେଉଁ ଚର୍ଚ୍ଚା ହେଉଛି ଏସବୁ କପୋଳକଳ୍ପିତ। କିଏ ରାଜ୍ୟସଭାକୁ ଯିବ ନିର୍ଦ୍ଦିଷ୍ଟ ସମୟରେ ଦଳର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ।”
ସାଂସଦ ସୁଜିତ କୁମାରଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଓଡ଼ିଆ ସାଂସଦଙ୍କ ସ୍ଥାନ । ତାଙ୍କ ଯାଗାରେ କିଏ ରାଜ୍ୟସଭାକୁ ଯିବ ସେ ନେଇ କଳ୍ପନା ଚାଲିଥିଲା ବେଳେ ମନମୋହନ ସାମଲ ତାଙ୍କର ଏହି ସମ୍ଭାବନାରେ ସାମିଲ ହେବାକୁ ନେଇ ରଖିଛନ୍ତି ସ୍ପଷ୍ଟତା । ତେବେ ନିକଟ ଅତୀତରେ ସାଂସଦ ମମତା ମହନ୍ତଙ୍କ ରାଜନୈତିକ ଟ୍ୱିଷ୍ଟ ବିଷୟରେ ସମସ୍ତେ ଅବଗତ । ସାଂସଦ ପଦବୀ ଓ ବିଜେଡିରୁ ଇସ୍ତଫା ପରେ ବିଜେପିରେ ସାମିଲ ହେବା ଓ ପରବର୍ତ୍ତୀ ସମୟରେ ବିଜେପିରୁ ଟିକେଟ ପାଇ ପୁଣି ସାଂସଦ ପଦ ଫେରି ପାଇବାର ସାକ୍ଷୀ ରହିଛନ୍ତି ରାଜ୍ୟବାସୀ । ସୁଜିତ କୁମାର ମଧ୍ୟ ମମତାଙ୍କ ସମାନ ଟ୍ରାକକୁ ଆପଣେଇଛନ୍ତି । ତେବେ ମମତାଙ୍କ କେସରେ ଦଳ ତାଙ୍କୁ ସାଂସଦ ପଦ ଦେଇ ଯେଉଁ ୱେଲକମ ଗିଫ୍ଟ ଦେଲା ତାହା ସୁଜିତଙ୍କ ଘଟଣାରେ ବି ଦୋହରା ଯିବ କି? ନା ଆଉ କେଉଁ ନୂଆ ଚେହେରା ସୁଜିତଙ୍କ ସ୍ଥାନ ନେବେ ତାହା ଦେଖିବା ବାକି ରହିଲା ।