
ବେଙ୍ଗାଲୁରୁ: ଗିରଫ ହେଲେ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ସ୍ତ୍ରୀ ନିକିତା । କେବଳ ତାଙ୍କୁ ବୋଲି ନୁହେଁ ନିକିତାଙ୍କ ମା’ ଓ ଭାଇଙ୍କୁ ମଧ୍ୟ ଗିରଫ କରିଛି ପୁଲିସ । ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ବେଙ୍ଗାଲୁରୁ ପୁଲିସ୍ ଗୁରୁଗ୍ରାମରୁ ପତ୍ନୀ ନିକିତାଙ୍କୁ ଗିରଫ କରିଥିବାବେଳେ ତାଙ୍କ ମାଆ ଏବଂ ଭାଇକୁ ଉତ୍ତରପ୍ରଦେଶ ପ୍ରୟାଗରାଜରୁ ଗିରଫ କରିଥିବା ସୂଚନା ମିଳିଛି। ମୃତ୍ୟୁ ପୂର୍ବରୁ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ଅତୁଲ। ମୃତ୍ୟୁ ପାଇଁ ପତ୍ନୀ ଏବଂ ଶ୍ଵଶୁର ଘର ଲୋକଙ୍କୁ ସେ ଦାୟୀ କରିଥିଲେ। ଅଭିଯୋଗ କରିବା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ସେ ସେୟାର କରିଥିଲେ। ୩ ଦିନ ପୂର୍ବରୁ ବେଙ୍ଗାଲୁରୁ ପୁଲିସ୍ ନିକିତାଙ୍କ ଘର କାନ୍ଥରେ ନୋଟିସ୍ ମାରିଥିଲା। ନୋଟିସରେ ୩ ଦିନ ମଧ୍ୟରେ ବୟାନ ରେକର୍ଡ କରିବାକୁ କୁହାଯାଇଥିଲା। ଏହା ମଧ୍ୟରେ ନିକିତା ଏବଂ ତାଙ୍କ ପରିବାର ଲୋକ ଆଗୁଆ ଜାମିନ୍ ପାଇଁ ଆବେଦନ କରିଥିଲେ। ଶେଷରେ ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।