ଚାମ୍ପିୟନ୍ସ ଟ୍ରଫି ହେବ ଏହି ତିନି ଖେଳାଳିଙ୍କ ଶେଷ ଆଇସିସି ଇଭେଣ୍ଟ !

ନୂଆଦିଲ୍ଲୀ : ଦୀର୍ଘ ୮ ବର୍ଷ ପରେ ପୁଣି ଫେରିଛି ଚାମ୍ପିୟନ୍ସ ଟ୍ରଫି। ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ ଇଣ୍ଡିଆ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଚଳିତ ଥର ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ରହିଛି ପାକିସ୍ତାନ। ଫେବୃଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଆରମ୍ଭ ହେଉଥିବା ବେଳେ ଭାରତ ୨୦ ତାରିଖରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ହାଇବ୍ରିଡ଼ ମଡେଲ ଅନୁଯାଇ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ ବାଂଲାଦେଶକୁ ପ୍ରଥମ ମ୍ୟାଚ୍ରେ ସାମ୍ନା କରିବ।
୨୦୧୭ରେ ଭାରତୀୟ ଟିମ ବିରାଟ କୋହଲିଙ୍କ ନେତୃତ୍ୱରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଖେଳିଥିଲା। କିନ୍ତୁ ଦଳକୁ ଫାଇନାଲରେ ହାରିବାକୁ ପଡ଼ିଥିଲା। ଏଥର ଦଳ ରୋହିତ ଶର୍ମାଙ୍କ ନେତୃତ୍ୱରେ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଯାଉଛି। ଦଳରେ ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ବରିଷ୍ଠ ଖେଳାଳି ରହିଛନ୍ତି। ଭାରତ ୨୦୧୩ ପର ଠାରୁ ଆଉ ଚାମ୍ପିୟନ୍ସ ଟ୍ରଫି ଜିତି ନାହିଁ। ତେଣୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏଥର ଟ୍ରଫି ତୋଳିବାକୁ ଲକ୍ଷ୍ୟ ରଖିଛି। କୁହାଯାଉଛି ଯେ ୩୭ ବର୍ଷୀୟ ରୋହିତ, ୩୬ ବର୍ଷୀୟ ବିରାଟ କୋହଲି ଓ ୩୬ ବର୍ଷୀୟ ରବୀନ୍ଦ୍ର ଜାଡେଜାଙ୍କ ପାଇଁ ୨୦୨୫ ଚାମ୍ପିୟନ୍ସ ଟ୍ରଫି ସମ୍ଭବତଃ ଶେଷ ଆଇସିସି ଇଭେଣ୍ଟ। କାରଣ ଏହି ୩ ଷ୍ଟାର ଖେଳାଳି ଟି-୨୦ ଫର୍ମାଟରୁ ଅବସର ଘୋଷଣା କରି ସାରିଛନ୍ତି। ୨୦୨୪ରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ବିଶ୍ୱ ବିଜେତା ହେବା ପରେ ରୋହିତ, ବିରାଟ ଓ ଜାଡେଜା ଟି-୨୦ ଅନ୍ତର୍ଜାତୀୟକୁ ଅଲବିଦା କହିଥିଲେ। ଏବେ ୩ ଖେଳାଳି କେବଳ ଦିନିକିଆ ଓ ଟେଷ୍ଟ କ୍ରିକେଟ ଖେଳୁଛନ୍ତି।
୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫି ପରେ ୨୦୨୬ରେ ଟି-୨୦ ବିଶ୍ୱକପ ଖେଳାଯିବ। ଏଥରେ ରୋ-କୋ ଓ ଜାଡେଜା ନଜର ଆସିବେ ନାହିଁ। କାରଣ ଟି-୨୦ରୁ ଏମାନେ ଅବସର ନେଇ ସାରିଛନ୍ତି। ସେହିପରି ୨ ବର୍ଷ ଯାଏ ଏହି ୩ ଷ୍ଟାର ଖେଳୁଥିବା କ୍ରିକେଟ ଫର୍ମାଟର କୌଣସି ଆଇସିସି ଇଭେଣ୍ଟ ନାହିଁ। ଚାମ୍ପିୟନ୍ସ ଟ୍ରଫି ପରେ ଯଦିଓ ରୋ-କୋ ଓ ଜାଡେଜା ଭାରତ ପାଇଁ ଖେଳିବାର ସମ୍ଭାବନା ରହିଛି, ତଥାପି ସେମାନେ ୨ ବର୍ଷ ପରେ ହେବାକୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ନଜର ଆସିବାର ସମ୍ଭବନା କ୍ଷୀଣ।
୨ ବର୍ଷ ଭିତରେ ଭାରତୀୟ ଟିମରେ ଅନେକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ଦଳରେ ୩ ଷ୍ଟାରଙ୍କ ଭବିଷ୍ୟତ କ’ଣ ହେବ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ମଧ୍ୟ ଚାମ୍ପିୟନ୍ସ ଟ୍ରଫି ସମ୍ଭବତଃ ରୋହିତ, ବିରାଟ ଓ ଜାଡେଜାଙ୍କ ଶେଷ ଆଇସିସି ଇଭେଣ୍ଟ ବୋଲି ମତ ରଖିଛନ୍ତି।