ଘୁଞ୍ଚିବ ବି ମହାକୁମ୍ଭ ତାରିଖ ?

ଉତ୍ତରପ୍ରଦେଶ : ଆସନ୍ତା ଫେବୃୟାରୀ ୨୬ରେ ମହାକୁମ୍ଭ ସରୁଥିବା ବେଳେ ଏହାର ସମାପ୍ତିର ତାରିଖକୁ ନେଇ ଏବେ ବଢିଛି ଦ୍ଵନ୍ଦ । ଆଉ ଏହି ଦ୍ଵନ୍ଦ କେବଳ ସୋସିଆଲ ମିଡିଆର କିଛି ପୋଷ୍ଟକୁ ନେଇ ହିଁ ଉଠିଛି । କିଛି ସୋସିଆଲ ମିଡିଆ ୟୁଜର୍ସ ପୋଷ୍ଟ କରିଛନ୍ତି ଯେ ମାର୍ଚ୍ଚ ଯାଏଁ କୁମ୍ଭମେଳା ଜାରି ରହିବ । ଶିବରାତ୍ରୀରେ ଶେଷ ନହୋଇ ତାହା ଆହୁରି କିଛି ଦିନ ଚାଲୁ ରହିବ ବୋଲି ସେମାନେ ଦାବି କରିଛନ୍ତି ।
ତେବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା କିଛି ଅପପ୍ରଚାର ଏବଂ ଗୁଜବକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ପ୍ରୟାଗରାଜ ଜିଲ୍ଲାପାଳ । ଅପପ୍ରଚାରକୁ ଖଣ୍ଡନ କରି ସେ କହିଛନ୍ତି, ମହାକୁମ୍ଭର ଆରମ୍ଭ ଏବଂ ଶେଷ ତାରିଖ ମୁହୂର୍ତ୍ତ ଅନୁସାରେ ସ୍ଥିର ହୋଇଥାଏ । ୨୬ ଫେବୃୟାରୀ ହେଉଛି ମହାକୁମ୍ଭ ସମାପ୍ତ ହେବାର ନିର୍ଦ୍ଧାରିତ ତାରିଖ ବୋଲି ସେ କହିଛନ୍ତି । ତେବେ ଶିବରାତ୍ରୀ ଦିନ ମହାକୁମ୍ଭ ଶେଷ ହେଉଥିବା ବେଳେ ଏହା ଶେଷ ସପ୍ତାହ ହୋଇଥିବାରୁ ପ୍ରୟାଗରାଜକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଲକ୍ଷ ଲକ୍ଷ ଭକ୍ତ ସଂଗମରେ ପବିତ୍ର ବୁଡ ପକାଉଥିବା ବେଳେ ଏ ଯାବତ୍ ୬୦କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇ ସାରିଲେଣି ।