ମାର୍ଚ୍ଚରୁ ମେ ଓଡ଼ିଶାରେ କଲବଲ କରିବ ତାତି

ଭୁବନେଶ୍ୱର: ଚଳିତ ଥର ବି ଓଡ଼ିଶାରେ ଭୀଷଣ ତାତି ସହ ମାର୍ଚ୍ଚରୁ ମେ’ ଜଳାଇବ ଖରା । କଲବଲ କରିବ ଜନଜୀବନ। ମାର୍ଚ୍ଚରୁ ମେ’ ଯାଏଁ ସ୍ୱାଭାବିକ ଠାରୁ ଆହୁରି ଅଧିକ ରହିବ ଦିନ ତାପମାତ୍ରା । ଏଥର ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅତ୍ୟଧିକ ଗରମ ସାଙ୍ଗକୁ ପୂର୍ବ ବର୍ଷର ରେକର୍ଡ ମଧ୍ୟ ଭାଙ୍ଗିପାରେ ତାତି । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉଭୟ ଦିନ ଓ ରାତିରେ ତାପମାତ୍ରା ସ୍ୱାଭାବିକ ଠାରୁ ବହୁତ ଅଧିକ ରହିବ ।
ଅନ୍ୟପଟେ ଏବେ ପଶ୍ଚିମ ଓଡ଼ିଶାର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି । ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ସେହିଭଳି ସମ୍ବଲପୁରରେ ୩୬.୪, ହୀରାକୁଦରେ ୩୫.୬ ଓ ଭୁବନେଶ୍ବରରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଚଳିତ ମାସରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।