
ଭୁବନେଶ୍ୱର: ଡାକିଲେ ଭକ୍ତ । ଏକାଠି ହେଲା କଂଗ୍ରେସ । ପୁଣି ଚେଇଁ ଉଠିଲା, ଶୋଇଯାଇଥିବା ହାତ । ଦଳକୁ ମଜବୁତ କଲା ନାରୀକୁ ନ୍ୟାୟ ସମାବେଶ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀର ଗାନ୍ଧୀମାର୍ଗରେ । ପିସିସି ସଭାପତିଙ୍କ ଗୋଟିଏ ଡାକରାରେ ଦୌଡି ଆସିଥିଲେ ହଜାର ହଜାର କଂଗ୍ରେସ କର୍ମୀ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ଦେଇଥିଲେ ରଣହୁଙ୍କାର । ବାଦବିବାଦ ମତାନ୍ତାର ମନାନ୍ତରକୁ ଭୁଲି ଏକାଠି ଲଢିଲେ ନେତା ଓ କର୍ମୀ । ଏମିତିକି ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଭାରୀ ଅଜୟ ଲଲୁଙ୍କ ପର୍ୟ୍ୟନ୍ତ ସମସ୍ତେ ଏହି ଡାକରାରେ ହୋଇଥିଲେ ସାମିଲ । ଦୀର୍ଘଦିନ ଧରି ଆକ୍ଟିଭ ନଥିବା ଯଥା ମହମ୍ମଦ ମୋକିମ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ନରସିଂହ ମିଶ୍ର ଓ ସାଂସଦ ସପ୍ତଗିରି ଉଲାକାଙ୍କ ଭଳି ଅନେକ ତୁଙ୍ଗ ନେତା କରିଥିଲେ ଶକ୍ତି ପ୍ରଦର୍ଶନ ।
ଏହାସହ ଛାତ୍ର, ଯୁବ ଓ ମହିଳା କଂଗ୍ରେସ ବି ଧାଇଁ ଆସିଥିଲେ ସମାବେଶକୁ । ଫଳରେ ଶୋଇଯାଇଥିବା କଂଗ୍ରେସକୁ ମିଳିଯାଇଥିଲା ବଳ । ସେହିପରି ପୋଲିସର ପାଣିମାଡ ଓ ଲାଠିଚାର୍ଜ ବେଳେ ନେତା ଓ କର୍ମୀଙ୍କ ପଥର ଟମାଟ ଓ ଅଣ୍ଡା ମାଡ ସ୍ଥିତିକୁ କରିଥିଲା ଆହୁରି ଭୟଙ୍କର । ସମସ୍ତେ ଖାଇଥିଲେ ପାଣି ମାଡ ଏବଂ ଅନେକ ରକ୍ତାକ୍ତ ବି ହେଲେ । ତେଣୁ ଏହା କଂଗ୍ରେସର ଜୋରଦାର କମବ୍ୟାକ୍ ବୋଲି ଏବେ ଚର୍ଚ୍ଚା ଜୋର । ଦଳର ଦୁର୍ବଳ ସ୍ଥିତି ବେଳେ ପିସିସି ସଭାପତି ଭକ୍ତ ଦାସ ସଂଜିବନୀ ସାଜିଥିବା ନେଇ ଏବେ ଲୋକେ କହିବା ଆରମ୍ଭ କଲେଣି । ନ ହେଲେ ଏତେ ବର୍ଷ ଭିତରେ କଂଗ୍ରେସର ଏଭଳି ରୂପ କେବେ କେହି ଦେଖିନଥିଲେ ।
ମଙ୍ଗଳବାର ୧୨ ଓ ବୁଧବାର ସମସ୍ତ ୧୪ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ ପରେ ଚିହିଁକି ଉଠିଥିଲା କଂଗ୍ରେସ । ଏହାପରେ ଭକ୍ତଙ୍କ ନେତୃତ୍ୱରେ ଦିଆଯାଇଥିବା ବିଧାନସଭା ଘେରାଉ ଡାକରାରେ ଏକାଠି ହୋଇଥିଲେ ସମସ୍ତ କର୍ମୀ । ଆଉ ନିଆରା ଢଙ୍ଗରେ ପ୍ରତିବାଦ କରି ସରକାରଙ୍କ ବଢାଇ ଦେଇଥିଲେ ଚିନ୍ତା । ତେବେ ସେ ଯାହା ବି ହେଉ ବର୍ତମାନ ଗୋଟିଏ ଚର୍ଚ୍ଚା କି ପୁଣି ଶକ୍ତ ହେଉଛି ହାତ । ଆଉ ଘାଇଲା କରିବେ ଭକ୍ତ ।