
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର । ଯିଏ କି ଏବେ ପୁଣି ଥରେ ଚର୍ଚ୍ଚାରେ । ଏନେଇ ପୁଣି ଥରେ ସରଗରମ ହୋଇଛି ରାଜନୀତି । ହାତ ଶିବିରରେ ହଲଚଲ ସୃଷ୍ଟି ହୋଇଥିବା ବେଳେ ପଦ୍ମ କ୍ୟାମ୍ପରେ ଏହା ଚର୍ଚ୍ଚା ବଢାଇଛି । କାରଣ ପୂର୍ବରୁ ଅନେକ ଥର ଖବରରେ ରହିଛି ମୋଦି ଓ ଥରୁରଙ୍କ କାହାଣୀ । ବିଜେପି ଆଡକୁ ଏହି ବରିଷ୍ଠ ନେତା ଢଳୁଥିବା ନେଇ ଅନେକ ମତ ବି ଦେଇଛନ୍ତି । ଏପରିକି ବିଜେପି ନେତାଙ୍କ ସହ ବିମାନରେ ସଲେଫି ନେବା ହେଉ କିମ୍ବା ମୋଦିଙ୍କ ଆମେରିକା ସମୟରେ ଟ୍ରମ୍ପଙ୍କ ସହ ଆଲୋଚନା । ଏହାସହ ବାରମ୍ବାର ମୋଦିଙ୍କ ନାଁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି ଏହି କଂଗ୍ରେସ ନେତା ।
ଏହାରି ଭିତରେ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଥରୁରଙ୍କ ମୁହଁରେ ପ୍ରଶଂସା, ଏହି ଆଲୋଚନାକୁ ଆଉ ଟିକେ ଖୋରାକ ଯୋଗାଇଥିବା କଥା କୁହାଯାଉଛି । ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା । ସେ କହିଛନ୍ତି କରୋନା ସମୟରେ ଭାରତ ମିତ୍ର ଦେଶ ସାଜି ରାଷ୍ଟ୍ରମାନଙ୍କୁ ଟୀକା ଦେବା, ଏକ ପ୍ରଶଂସନୀୟ ଯୋଗଦାନ । ସେହିପରି ମୋଦି ସରକାରଙ୍କ ବିଦେଶ ନୀତି ଖୁବ୍ ଟେକିଛନ୍ତି ଏହି ସାଂସଦ । ଦ ୱିକ ପୁସ୍ତକରେ ଶଶିଙ୍କ ଲେଖା ଏବେ ଚର୍ଚ୍ଚା ସାଉଁଟିଛି । ସେଥିରେ ଉଲ୍ଲେଖ ରହିଛି କି କୋଭିଡ୍ ସମୟରେ ମୋଦୀ ସରକାରଙ୍କ ବିଦେଶ ନୀତି ପ୍ରଶଂସନୀୟ । ମହାମାରୀ ସମୟରେ ବିଦେଶ ନୀତି ବିଶ୍ବ ପାଇଁ ପ୍ରେରଣଦାୟକ ଥିଲା । ଭ୍ୟାକ୍ସିନ କୂଟନୀତି ବିଶ୍ବ ପାଇଁ ଆଶାର କିରଣ ସୃଷ୍ଟି କରିଥିଲା । ଗ୍ଲୋବାଲ ଲିଡର ଭାବେ ଭାରତ ନିଜ ଭାବମୂର୍ତ୍ତିକୁ ଅଧିକ ମଜଭୁତ କରିଛି । ଏମିତି କିଛି କହିଛନ୍ତି ଶଶୀ । ଯାହାକୁ ନେଇ ଏବେ ଚର୍ଚ୍ଚା କି “ହାତ’ ଛାଡି “ପଦ୍ମ’ ଧରିପାରନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶୀ ଥରୁର ।