
ଭୁବନେଶ୍ୱର : ପୁଣି ତାଲିମ ନେବେ ବିଜେପି ସାଂସଦ ଓ ବିଧାୟକ । ଏପ୍ରିଲ ୧୧, ୧୨ ଓ ୧୩ରେ ପୁରୀ ମେରାଇନ୍ ଡ୍ରାଇଭ୍ ରୋଡରେ ଏହି ତାଲିମ ଶିବିର ଅନୁଷ୍ଠିତ ହେବ । ଏଥିରେ ବିଜେପିର ୭୮ ଜଣ ବିଧାୟକ, ୨୦ ଲୋକସଭା ସାଂସଦଙ୍କ ସମେତ ରାଜ୍ୟ ସଭାପତିଙ୍କ ଠାରୁ ଆରମ୍ଭ କରି ସମସ୍ତ ପଦାଧିକାରୀ ଯୋଗଦେବେ । ସେହିପରି ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ରହିଛି ।
ଏହି କାର୍ଯ୍ୟକ୍ରମ କିପରି ସୂଚାରୁ ରୂପେ ଆୟୋଜନ ହେବ ସେଥିପାଇଁ ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗଦେଇ ଆଲୋଚନା କରିଛନ୍ତି।
ସାଂସଦ ଓ ବିଧାୟକମାନେ କିପରି ସରକାର ଓ ସଙ୍ଗଠନ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବେ, ବୁଥ୍ ସ୍ତରରେ ସଂଗଠନକୁ ମଜଭୁତ୍ କରିବାକୁ କର୍ମୀମାନଙ୍କୁ କିପରି ଉତ୍ସାହିତ କରିବେ, ସଂସଦ ଓ ବିଧାନସଭାରେ କିପରି ପ୍ରଭାବୀ ଢଙ୍ଗରେ ଆଲୋଚନା କରିବେ, ଭଲ ଭାଷଣ ଦେବେ ସେନେଇ ତାଲିମ ଦିଆଯିବ । ତେବେ ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଉଦ୍ଘାଟନ କରିବେ। ଏହାପରେ ଦଳର ଜାତୀୟ ସ୍ତରର କେତେକ ସଙ୍ଗଠକ, କୋର୍ କମିଟି ସଦସ୍ୟ ଏବଂ କେନ୍ଦ୍ର ମନ୍ତ୍ରୀ ଯୋଗଦେଇ ସାଂସଦ ଓ ବିଧାୟକଙ୍କୁ ତାଲିମ ଦେବେ। ପୂର୍ବରୁ ବିଧାନସଭାରେ ୨୦୨୪ ଅଗଷ୍ଟରେ ବିଧାୟକମାନଙ୍କୁ ତାଲିମ ଦିଆଯାଇଥିଲା ।