
ବଲାଙ୍ଗୀର: ବଲାଙ୍ଗୀରରେ ବିଜୁ ପ୍ରତିମୂର୍ତ୍ତିକୁ ପୋଡ଼ିବା ଘଟଣାରେ ପକ୍ଷ ରଖିଲା ବିଜେପି । ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ପ୍ରେସମିଟ କରି ଏଭଳି ଘଟଣାକୁ ନିନ୍ଦା କରିଛନ୍ତି । ବଲାଙ୍ଗୀର ଜିଲ୍ଲା ପାଟଣାଗଡର ପର୍ଶୁରାମ ଛକସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିକୁ ପୋଡି ଦେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ । ସରକାରଙ୍କ ନିର୍ଦ୍ଦେଶରେ ଭଗବାନ ପର୍ଶୁରାମ ଏବଂ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିବାକୁ ପ୍ରଶାସନିକ ନିଷ୍ପତି ନିଆଯାଇଛି । ମାତ୍ର ଉନ୍ମୋଚନ ହେବା ପୂର୍ବରୁ ପ୍ରତିମୂର୍ତିକୁ ପୋଡିଦେବା ଅତ୍ୟନ୍ତ ନିନ୍ଦନୀୟ । ତ୍ୱରିତ ପଦକ୍ଷେପ ସ୍ୱରୁପ ଘଟଣାରେ ସଂପୃକ୍ତ ଯୁବକ ଯୁଗଲ କୁମାର ସାହୁ (ହୀରୁ)କୁ ତୁରନ୍ତ ଗିରଫ କରାଯାଇ ସରକାର ଓ ପ୍ରଶାସନ ତରଫରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ଗିରଫ ଅଭିଯୁକ୍ତ ଯୁଗଲ ଜଣେ ମାନସିକ ବିକୃତ ବ୍ୟକ୍ତି ଏବଂ ଘଟଣା ସମୟରେ ନିଜେ ଛିଡା ହୋଇଥିବା ସ୍ପଷ୍ଟ ଦେଖାଯାଉଛି ।
ଅଭିଯୁକ୍ତ ଯୁଗଲ କୁମାର ସାହୁ କିଛି ମାସ ପୁର୍ବରୁ ଏକ ଇଲେକ୍ଟ୍ରିକ ଖୁଂଟ ଉପରେ ଚଢିଯାଇଥିଲେ ଏବଂ ଇଲେକ୍ଟ୍ର ସପ୍ଲାଇ ବନ୍ଦ କରାଯାଇ ତାଙ୍କୁ ଉଦ୍ଧାର କରାଯାଇଥିଲ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାରତୀୟ ଜନତା ପାର୍ଟିର ଯଥେଷ୍ଟ ସମ୍ମାନ ରହିଛି । ଏଭଳି ହୀନ ଘଟଣାକୁ ଆଦୈା ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି ।
ତେବେ ରାଜ୍ୟରେ ବିଜୁ ବାବୁଙ୍କ ପ୍ରତି ହୋଇଥିବା ଅସମ୍ମାନକୁ ନେଇ ବିଜେଡିର ବିରୋଧ ପ୍ରଦର୍ଶନ ଜାରି ରହିଛି । ଏଭଳି ଘଟଣା ବିଜେପି ଶାସିତ ରାଜ୍ୟରେ ହୋଇଥିବାକୁ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ।