
ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨୪ ଅର୍ଥାତ୍ ଆଜି ଠାରୁ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରିଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ସମସ୍ତ ରେଜିଷ୍ଟ୍ରାର, ପିଜି କାଉନସିଲ୍ ଚେୟାରମ୍ୟାନ, ପ୍ରିନ୍ସିପାଲଙ୍କୁ ଅବଗତ କରାଯାଇଛି । ତେବେ ଶିକ୍ଷକ ଓ ଅଣଶିକ୍ଷକମାନେ ପୂର୍ବପରି ନିୟମିତ ଭାବେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଆସିବେ । ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ସାଧାରଣ ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ନିୟମିତ ଭାବରେ କାର୍ଯ୍ୟାଳୟରେ ଯୋଗଦେବେ ।
ଚଳିତବର୍ଷର ସମସ୍ତ ପରୀକ୍ଷା କ୍ୟାଲେଣ୍ଡର ଅନୁସାରେ ଅନୁଷ୍ଠିତ ହେବ । ଯଦି କୌଣସି ଛାତ୍ରଛାତ୍ରୀ ଏହି ସମୟ ମଧ୍ୟରେ ହଷ୍ଟେଲରେ ରହିବାକୁ ଚାହାନ୍ତି, ତେବେ ସେମାନଙ୍କ ପାଇଁ ହଷ୍ଟେଲ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ମଙ୍ଗଳବାର ଠାରୁ ଅଙ୍ଗନୱାଡି ଓ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ।