୩ ଦିନରେ ଗହୀରମଥାରୁ ସମୁଦ୍ରକୁ ଗଲେ କୋଟିଏରୁ ଅଧିକ ଅଲିଭ୍ ରିଡଲେ କଇଁଛ ଛୁଆ

ରାଜନଗର : ଅଲିଭ୍ ରିଡଲେ କଇଁଛ ପାଇଁ ପ୍ରସିଦ୍ଧ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଗହୀରମଥା ପାଇଁ ଖୁସି ଖବର । ୩ଦିନ ଭିତରେ ଗହୀରମଥାରୁ ଗଭୀର ସମୁଦ୍ରକୁ ଯାଇଛନ୍ତି କୋଟିଏରୁ ଅଧିକ ଅଲିଭ୍ ରିଡଲେ କଇଁଛ ଛୁଆ । ଚଳିତ ବର୍ଷ ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିବା ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ଗହୀରମଥାର ନାସୀ-୨ରେ ୨ ଲକ୍ଷ ୫୩ ହଜାର ୪୨୬ ଅଲିଭ୍ ରିଡଲେ ଅଣ୍ଡାଦାନ କରିଥିବା ବେଳେ ଏକକୂଳା ନାସୀରେ ୨ ଲକ୍ଷ ୯୬ ହଜାର ୪୩୬ କଇଁଛ ଅଣ୍ଡାଦାନ କରିଥିଲେ।
ମଙ୍ଗଳବାର ଓ ବୁଧବାର ଦୁଇ ଦିନରେ ନାସୀ-୨ ରୁ ୮୨ଲକ୍ଷ କଇଁଛ ଶାବକ ସମୁଦ୍ରକୁ ଯାଇଥିଲେ। ଗୁରୁବାର ସନ୍ଧ୍ୟାରୁ ନାସୀ-୨ରୁ କଇଁଛ ଶାବକ ବାଲିରୁ ବାହାରି ସମୁଦ୍ରକୁ ଯିବା ଆରମ୍ଭ କରିଛନ୍ତି। ଅଣ୍ଡାଗୁଡ଼ିକର ଛୁଆ ଫୁଟିବା ସମୟରେ ସୁରକ୍ଷା ଦେବା ପାଇଁ ଗହୀରମଥା ଡେପୁଟି ରେଞ୍ଜ ଅଫିସର୍ କପିଳେନ୍ଦ୍ର ପ୍ରଧାନଙ୍କ ସମେତ ବନ ବିଭାଗର କର୍ମଚାରୀ ସଜାଗ ରହିଛନ୍ତି।
ଏହି ପ୍ରକ୍ରିୟା ଆଉ ଚାରିଦିନ ପର୍ଯ୍ୟନ୍ତ ଚାଲୁ ରହିବ। ୩୧ ବର୍ଷ ପରେ ଏକକୂଳାନାସୀରେ କଇଁଛମାନେ ଚଳିତ ବର୍ଷ ଗଣ ଅଣ୍ଡାଦାନ କରିଥିଲେ। ତେବେ ଏକକୂଳାନାସୀରୁ କଇଁଛ ଶାବକ ବାହାରି ନଥିବା ରାଜନଗର ଡିଏଫ୍ଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି। ଏଥିସହିତ ଅଲିଭ୍ ରିଡଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ପୁଣି ଚଳଚଞ୍ଚଳ ହୋଇଛି। ଅଲିଭ୍ ରିଡଲେ ବରିଳ ପ୍ରଜାତି ହୋଇଥିବାରୁ ବନ ବିଭାଗ ପାଇଁ ଏହା ଏକ ଆଶ୍ୱସ୍ତିକର ଖବର ।