
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ବା BMCର Solid Waste Plasma Technology Treatment Plant ବୁଲି ଦେଖିଲେ ଆନ୍ଧ୍ର ପ୍ରଦେଶର ଡକ୍ଟର ଭୀମରାଓ ଆମ୍ବେଦକର କୋନାସୀମା ଜିଲ୍ଲା ଅନ୍ତର୍ଗତ ଅମଲାପୁରମ୍ ମ୍ୟୁନିସପାଲିଟି କମିଶନର ଓ ତାଙ୍କ ଟିମ୍ । ଏହି ଟିମରେ ଅମଲାପୁରମ୍ ମ୍ୟୁନିସପାଲିଟିର କମିଶନର ଶ୍ରୀ କେଭିଆରଆର୍ ରାଜୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀମତୀ ଡାଗ୍ଗୁମାଲ୍ଲା ଶାନ୍ତାଲକ୍ଷ୍ମୀ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଇଂଜିନିୟର ଶ୍ରୀ ଏମବିଏସ୍ ଶଙ୍କର ରାଓ ଓ ଜିଲ୍ଲା ଶିଳ୍ପ ଅଧିକାରୀ ଶ୍ରୀ ପିକେପି ପ୍ରସାଦ ପ୍ରମୁଖ ଆସିଥିଲେ ।
ଏହି ଟିମ୍ କଠିନ ବର୍ଜ୍ୟ ପ୍ରକ୍ରିୟାକରଣ କାର୍ଯ୍ୟ ବୁଲି ଦେଖିବା ସହ ଏହାର ପ୍ରକ୍ରିୟାକରଣ, ଉପକାରୀତା, ଅପକାରୀତା, ଖର୍ଚ୍ଚ ଆଦି ସଂପର୍କରେ ବିଭିନ୍ନ କଥା ପଚାରି ବୁଝିଥିଲେ । BMC ପକ୍ଷରୁ ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଚାଳନା କରୁଥିବା ଇଂଜିନିୟର ସେମାନଙ୍କୁ ଏ ସଂପର୍କରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ ।
BMC ଗସ୍ତରେ ଆସିଥିବା ଏହି ଟିମକୁ ଆଜି ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟାଳୟରେ ପୁଷ୍ପଗୁଚ୍ଛ, ଉପହାର ଓ କଫିଟେବ୍ଲ ପୁସ୍ତକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ କମିଶନର ଶ୍ରୀ ଏନ୍. ଗଣେଶ ବାବୁଙ୍କ ସହ ଟିମ୍ BMC ଉପସ୍ଥିତ ଥିଲେ । ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା, ରକ୍ଷଣାବେକ୍ଷଣ, ବର୍ଜ୍ୟ ସଂଗ୍ରହ, ଆଦି ସଂପର୍କରେ ସେମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ସେମାନଙ୍କୁ ଅତିରିକ୍ତ କମିଶନର ଓ ସହକାରୀ କମିଶନର ବୁଝାଇଥିଲେ । ପରେ ସେମାନେ ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟ ସହ ବିଭିନ୍ନ ଏମସିସି ଓ ଏମଆରଏଫ୍ ସେଣ୍ଟର ବୁଲି ଦେଖିଥିଲେ ।
ଏହି ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ବର୍ଜ୍ୟ ସଂଗ୍ରହ ପଦ୍ଧତି ସଂପର୍କରେ ତଥ୍ୟ ସେମାନେ ଏଠାରେ ଅବଗତ ହୋଇଯିବା ପରେ ଅମଲାପୁରମ୍ ମ୍ୟୁନିସପାଲିଟିରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବ ।