ଓଡ଼ିଶାବାଣିଜ୍ୟ

ଭୁବନେଶ୍ବର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ଜମାକାରୀଙ୍କୁ ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ଭୁବନେଶ୍ବର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ଜମାକାରୀଙ୍କୁ ରାଜ୍ୟ ସରକାର ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୯ ଜଣ ଜମାକାରୀଙ୍କୁ ଚେକ୍ ପ୍ରଦାନ କରିଥିଲେ। ୨୦୧୫ ମେ’ ୧୫ରେ ଭୁବନେଶ୍ବର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ସମାପନ ହୋଇ ଯାଇଥିବାରୁ ଏହି ତାରିଖ ସୁଦ୍ଧା ଜମାକାରୀଙ୍କର ସୁଧ ମୂଳ ମିଶାଇ ଯେତିକି ଟଙ୍କା ଥିଲା ସେତିକି ଟଙ୍କା ଫେରାଇବାକୁ  ନିଷ୍ପତ୍ତି ହୋଇଛି।

୯୫୩୭ ଜଣ ଜମାକାରୀଙ୍କୁ  ସମ୍ପୂର୍ଣ୍ଣ ଟଙ୍କା ଫେରାଯିବ । ଓଡ଼ିଶାରେ ସମବାୟ ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଜମାକାରୀଙ୍କୁ ଟଙ୍କା ଫେରସ୍ତ ଅଭିଯାନ ଆରମ୍ଭ କରିଛନ୍ତି। ତେବେ  ୨୦୧୫ ମେ ୧୫ରୁ ଏପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୧୦ ବର୍ଷ ବ୍ୟାଙ୍କରେ ଥିବା ଟଙ୍କା ଉପରେ ଜମାକାରୀଙ୍କୁ କୌଣସି ସୁଧ ମିଳିବନି । ପ୍ରଥମ ଦିନରେ ୧୧୭ ଜଣ ଜମାକାରୀଙ୍କୁ ୨ କୋଟି ୮୦ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି। ବ୍ୟାଙ୍କର ଜମା ଅର୍ଥ ବାବଦକୁ ସମବାୟ ବିଭାଗ ପାଖରେ ଏବେ ପ୍ରାୟ ୧୩କୋଟି ଟଙ୍କା ଥିବାରୁ ପର୍ଯ୍ୟାୟ କ୍ରମେ ମୋଟ୍ ୯୫୩୭ ଜଣ ଜମାକାରୀଙ୍କୁ ୨୦ କୋଟି ୯୬ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ଏହାସହ ଖୁବ୍ ଶୀଘ୍ର  ଛତ୍ରପୁର, ଆସ୍କା ଓ ଭଞ୍ଜନଗର ଏବଂ ଢେଙ୍କାନାଳ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କଗୁଡ଼ିକର ଜମାକାରୀଙ୍କ ଅର୍ଥ ମଧ୍ୟ ଫେରସ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ୪ଟି ବ୍ୟାଙ୍କର ୧୭, ୮୫୯ ଜଣ ଜମାକାରୀଙ୍କୁ ୬ କୋଟିରୁ ଅଧିକ ଟଙ୍କା ଫେରସ୍ତ କରାଯିବ। ତେବେ ୧୦ ବର୍ଷ କାଳ ବ୍ୟାଙ୍କରେ ଟଙ୍କା ପଡ଼ି ରହିଥିବାରୁ ତାହାର ସୁଧ ଦାବି କରିଛନ୍ତି କିଛି ଜମାକାରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com