
ଭୁବନେଶ୍ୱର : ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ। ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ପିଲାମାନଙ୍କୁ ପ୍ରଶଂସା କରିଛନ୍ତି। ସେହିପରି ସମସ୍ତେ ଦୃଢ଼ ମନୋବଳ ଓ ନିଷ୍ଠାର ସହ ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଚଳିତ ଥର ମାଟ୍ରିକରେ ୯୪.୯୩ ପ୍ରତିଶତ ରେଜଲ୍ଟ ହୋଇଛି। ପୁଅଙ୍କ ପାସ ହାର ୯୪ ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି । ଗଜପତି ଜିଲ୍ଲାରେ ସର୍ବାଧିକ ପାସହାର ୯୯.୩୫ ପ୍ରତିଶତ ଥିବାବେଳେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ପାସ ହାର ୯୨.୮୩ ପ୍ରତିଶତ।
ଦଶମ ବୋର୍ଡ ପରୀକ୍ଷାରେ ସଫଳତା ପାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଏଥିସହ ପରୀକ୍ଷା ଦେଇଥିବା ସମସ୍ତଙ୍କର ମଧ୍ୟ ପ୍ରଶଂସା କରୁଛି। ମାର୍କ ପରୀକ୍ଷାର ମାପ କାଠି ହୋଇପାରେ ହେଲେ ଜୀବନର ନୁହେଁ। ସମସ୍ତେ ଦୃଢ଼ ମନୋବଳ ଓ ନିଷ୍ଠାର ସହ ଆଗକୁ ବଢ଼ନ୍ତୁ। ସଭିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। pic.twitter.com/dZAfuGSzBC
— Naveen Patnaik (@Naveen_Odisha) May 2, 2025
ଚଳିତ ବର୍ଷ ୫ ଲକ୍ଷ ୨ ହଜାର ୪୧୭ ଜଣ ମାଟ୍ରିକ ପରୀକ୍ଷା ଦେଇଥିଲେ । ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୮୬୩ ଜଣ । ସେମାନଙ୍କ ମଧ୍ୟରୁ ୧, ୮୧୨ ଜଣ A1 ଗ୍ରେଡ ପାଇଥିବାବେଳେ, ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ A2 ଗ୍ରେଡ ପାଇଛନ୍ତି । ସେହିପରି B1 ଗ୍ରେଡ ପାଇଛନ୍ତି ୩୮ ହଜାର ୮୩୧ ଜଣ ଛାତ୍ରଛାତ୍ରୀ । B2 ଗ୍ରେଡ ପାଇଛନ୍ତି ୮୪, ୯୭୧ ଜଣ ଛାତ୍ରଛାତ୍ରୀ । ସେହିଭଳି C ଗ୍ରେଡରେ ୧ ଲକ୍ଷ ୩୩ ହଜାର ୮୮୨ ଜଣ , D ଗ୍ରେଡରେ ୧ ଲକ୍ଷ ୪୬ ହଜାର ୧୫୪, E ଗ୍ରେଡରେ ୭୬, ୦୧୩ ଏବଂ F ଗ୍ରେଡରେ ୭, ୩୮୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି।