ଦୁଇ ଦିନ ପ୍ରବଳ ବର୍ଷା; ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୩|୦୬ : ଆଗାମୀ ୨ ଦିନ ପାଇଁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ, ୨୬ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ସୋମବାର ଦିନ କେନ୍ଦୁଝର ଏବଂ ମୟୂରଭଞ୍ଜରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଦୁଇଟି ଜିଲ୍ଲାରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି।
ଏହି ଦୁଇଟି ଜିଲ୍ଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପକ୍ଷରେ, ବଜ୍ରପାତ ଯୋଗୁଁ ୨୫ଟି ଜିଲ୍ଲା ପାଇଁ ୟେଲୋ ଓ୍ବାର୍ନିଂ ମଧ୍ୟ ଜାରି କରାଯାଇଛି। ସେହିପରି ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ଏବଂ ପବନ ସତର୍କତା ଜାରି କରାଯାଇଛି। ତଥାପି, ୨୬ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ଏବଂ ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ, ସମ୍ପୃକ୍ତ ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ୨୭ ତାରିଖ ସକାଳ ୮:୩୦ ପର୍ଯ୍ୟନ୍ତ ଅରେଞ୍ଜ ଓ୍ବାର୍ନିଂ ବଳବତ୍ତର ରହିବ। ବଜ୍ରପାତ ସମୟରେ ଜନସାଧାରଣଙ୍କୁ ସତର୍କ ରହିବାକୁ ଏବଂ ବାହାରକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।