ସୃଷ୍ଟି ହେଲା ବନ୍ୟା ପରିସ୍ଥିତି, ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଙ୍ଗ ।

ଭୁବନେଶ୍ୱର ୩୦/ଜୁନ୍ : ଓଡ଼ିଶାରେ ପୁଣି ପ୍ରବଳ ବର୍ଷାର ସମ୍ଭାବନା। ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ଏହାସହ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ , ଯାହା ଆଗାମୀ ୨ ଦିନରେ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଦିଗକୁ ଗତି କରିବ। ଏହା ସହିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ, ଓଡ଼ିଶାର ଅନେକ ଅଞ୍ଚଳରେ ୫ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧାରଣାର ବର୍ଷାର ସମ୍ଭାବନା। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲାକୁ ରେଡ୍ ୱାର୍ନିଂ ଜାରି କରାଯାଇଛି। ସେହିପରି ଅନ୍ୟ ୨୨ ଟି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ନିଂ ଜାରି କରାଯାଇଛି। ଘନ ବର୍ଷାର ପ୍ରଭାବରୁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଦେଖାଯାଇଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଇଛି, ଯାହା ଦ୍ୱାରା ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଅପରପକ୍ଷେ ଏସବୁ ନଦୀରେ ଜଳସ୍ତର ଯେପରି ବୃଦ୍ଧି ପାଇବାରେ ଲାଗିଛି ତାହାକୁ ନେଇ ବଡ଼ ବନ୍ୟା ଆଶଙ୍କା କରାଯାଇଛି। ବନ୍ୟା ଆଶଙ୍କା ଦୃଷ୍ଟିରେ ଜଳସମ୍ପଦ ବିଭାଗ ପକ୍ଷରୁ କ୍ଷେତ୍ର ତଦାରଖ, ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରଣ, ରିଲିଫ୍ କାର୍ଯ୍ୟ ଓ ଉଦ୍ଧାର କାମ ଜାରି ରହିଛି। ବାଲେଶ୍ୱର ଜିଲ୍ଲାର ତଳିଆ ଅଞ୍ଚଳରେ ଓଡ୍ରାଫ୍ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଅପରପକ୍ଷରେ ଆରବସାଗର ଓ ବଙ୍ଗୋପସାଗରରେ ଆଉ ଦୁଇଟି ଲଗୁଚାପ ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ଯାହା ଦ୍ୱାରା ରାଜ୍ୟରେ ବର୍ଷାର ପରିମାଣ ବଢି ବଡ ବନ୍ୟା ସୃଷ୍ଟି ହେବାର ବିପଦ ରହିଛି । ଏହା ସହ ଆଗାମୀ ଦିନରେ ବନ୍ୟା ପରିସ୍ଥିତିକୁ ନେଇ ସରକାର କେତେ ଦୂର ପ୍ରସ୍ତୁତ ଦେଖିବାକୁ ରହିଛି ।