
ଭୁବନେଶ୍ୱର ୦୨/ଜୁଲାଇ : ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (BMC) ର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ବିଜେଡି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏହି ଘଟଣାକୁ ବ୍ରିଟିଶ ଶାସନ ଦିନର ଅତ୍ୟାଚାର ସହ ସମ୍ପୃକ୍ତ କରି ବେବେଚନା କରାଯାଇଛି। ବିଜେଡି ଭୁବନେଶ୍ୱର ସଭାପତି ଓ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ଯେପରି ବିଭତ୍ସ ଭାବେ ଏକ ପ୍ରଶାସନିକ ଅଧିକାରୀଙ୍କୁ ଅଫିସରୁ ଘୋଷାରି ଆଣି ଆକ୍ରମଣ କରାଯାଇଛି, ଏହା ଏକ ସଭ୍ୟ ସମାଜ ପାଇଁ ଶୋଚନୀୟ ଘଟଣା। ଏହା ଓଡ଼ିଶାର ଶାନ୍ତିପୂର୍ଣ୍ଣ ଛବିକୁ ନଷ୍ଟ କରିଦେଇଛି। ଗତ ଏକ ବର୍ଷ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଅଧିକାରୀମାନେ ମାନସିକ ଓ ଶାରୀରିକ ନିର୍ଯାତନା ଭୋଗୁଛନ୍ତି। ଏହି ଆକ୍ରମଣ ଦେଖାଉଛି ଯେ ପ୍ରଶାସନିକ ଢଞ୍ଚା ଉପରେ ଚାପ ଓ ଆତଙ୍କ ବଢ଼ିଛି। BMC ମେୟର ସୁଲୋଚନା ଦାସ ଘଟଣାକୁ ତୀବ୍ର ନିନ୍ଦା କରି କହିଛନ୍ତି ଯେ ଲୋକଙ୍କ ଅଭିଯୋଗ ଶୁଣୁଥିବା ଅଧିକାରୀଙ୍କୁ ଏଭଳି ବର୍ବର ଢଙ୍ଗରେ ଆକ୍ରମଣ କରିବା କେଉଁଠିଓ ଗ୍ରହଣୀୟ ନୁହେଁ। ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନା କହିଛନ୍ତି ଯେ ଗତ ୩୦ ବର୍ଷରେ ଏପରି ନିର୍ମମ ଆକ୍ରମଣ କେବେ ଘଟିନଥିଲା। ଆକ୍ରମଣକାରୀମାନେ ବିଜେପି ସହ ସଂପୃକ୍ତ ଓ ଜଗନ୍ନାଥ ପ୍ରଧାନଙ୍କ ପ୍ରେରଣାରେ ଏହି କାଣ୍ଡ ଘଟାଇଛନ୍ତି ବୋଲି ଅଭିଯୋଗ ହୋଇଛି। ଘଟଣାରେ ମୋଟ ୬-୭ ଜଣ ସଂପୃକ୍ତ ଥିବା ସତ୍ତ୍ୱେ, କେବଳ ୫ ଜଣଙ୍କୁ ଗିରଫ କରାଯାଇଛି। ବିଜେଡି ପକ୍ଷରୁ ଦାବି ହେଉଛି ଯେ ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଉ ଓ ମୁଖ୍ୟମନ୍ତ୍ରୀ ଏଥିରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ଡେପୁଟି ମେୟର ମଞ୍ଜୁଲତା କହଁର ମଧ୍ୟ ଉପସ୍ଥିତ ଥିଲେ।