Balanga patient airlifted to Delhi's AIIMS, put on ventilator due to critical health condition.

ନୂଆଦିଲ୍ଲୀ ୨୧/ଜୁଲାଇ : ବଳଙ୍ଗା ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ପାଇଁ ଓଡ଼ିଶା ସରକାର ତତ୍ପରତା ଦେଖାଇଛି। ଆଜି ମଧ୍ୟାହ୍ନ ସାଢ଼େ ୧୨ଟାରେ ଭୁବନେଶ୍ବର ଏମ୍ସରୁ ଗ୍ରିନ୍ କରିଡର୍ ମାଧ୍ୟମରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଏମ୍ବୁଲାନ୍ସ ଯୋଗେ ଆଣି, ସେଠାରୁ ଏୟାର୍ ଆମ୍ବୁଲାନ୍ସ ମାଧ୍ୟମରେ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏବଂ ପରିବାର ଲୋକଙ୍କ ସାଥିରେ ପୀଡ଼ିତାଙ୍କୁ ବିମାନରେ ପଠାଯାଇଥିଲା। ଦିଲ୍ଲୀ ଏମ୍ସର ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରି ବିଭାଗରେ ସେ ଅପରାହ୍ଣ ୪:୨୦ ରେ ଭର୍ତ୍ତି ହୋଇଛନ୍ତି, ଯେଉଁଠାରେ ସେ ଅକ୍ସିଜେନ ସପୋର୍ଟରେ ରହିଛନ୍ତି ବୋଲି ମେଡିକାଲ ବୁଲେଟିନ୍ରେ ସୂଚନା ମିଳିଛି। ତାଙ୍କର ସ୍ୱାସ୍ଥ୍ୟ ଏପର୍ଯ୍ୟନ୍ତ ସଙ୍କଟାପନ୍ନ ରହିଛି ବୋଲି ବୁଲେଟିନ୍ ଉଲ୍ଲେଖ କରିଛି। ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହେବା ପରେ ୧୪ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଥିଲେ। ତେବେ ଗତକାଲି ରାତିରେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅନିୟନ୍ତ୍ରିତ ହେଉଥିବାରୁ ତାଙ୍କୁ ଏୟାରଲିଫ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଦିଲ୍ଲୀ ଇନ୍ଦ୍ରପ୍ରସ୍ଥ ଆପୋଲୋର ଏୟାର୍ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କୁ ଦିଲ୍ଲୀ ନିଆଯାଇଛି। ଏମ୍ସ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ, ଭୁବନେଶ୍ବରରେ ଆବଶ୍ୟକ ସୁବିଧା ଥିବା ସତ୍ତ୍ୱେ ଏଉଁ ରୋଗୀ ପାଇଁ ଦିଲ୍ଲୀର ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରି ୟୁନିଟ୍ ସବୁଠୁ ଉତ୍ତମ ବିକଳ୍ପ। ଏହା ସହିତ ଏମ୍ସ ପରିସରରେ କଟକଣା ନିୟମ ଓ ରାଜନୈତିକ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ମୁତାୟନ ଓ ୧୬୩ ଧାରା ଲାଗୁ କରାଯାଇଥିଲା।