
ଭୁବନେଶ୍ୱର, ତା: ୨୫/୦୯/୨୦୨୫ : ସ୍ୱଚ୍ଛତା ବିନା ସୁସ୍ଥ ପରିବେଶ, ସୁସ୍ଥ ସମାଜ ଓ ସୁସ୍ଥ ରାଷ୍ଟ୍ର ଗଠନ ଅସମ୍ଭବ । ସ୍ଵଚ୍ଛତା ଏକ ଅଭିଯାନ ନୁହେଁ, ଏହା ଏକ ଆନ୍ଦୋଳନ ବୋଲି କହିଛନ୍ତି ମାନ୍ୟବର ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ । ସ୍ଥାନୀୟ ମାର୍କେଟ ବିଲ୍ଡିଂ ସ୍ଥିତ ରାଜ୍ୟ ସମବାୟ ବ୍ୟାଙ୍କଠାରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି ।
“ଏକ୍ ଦିନ, ଏକ୍ ଘଣ୍ଟା, ଏକ୍ ସାଥ୍” ସ୍ଲୋଗାନ ନେଇ ଆଜି ସମବାୟ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ, ବିଭାଗୀୟ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ସମବାୟ ସମିତି ସମୂହ ନିବନ୍ଧକ ସିଦ୍ଧାର୍ଥ ଦାସ, ବିଭାଗୀୟ ଅଧିକାରୀ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇ ସଫେଇ କରିଥିଲେ । ହାତରେ ଝାଡୁ ଧରି ରାସ୍ତା ସଫେଇ କରିବା ସହ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ।
ସୂଚନାଯୋଗ୍ୟ, ଯଶସ୍ଵୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସାରା ଦେଶରେ ୧୫ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ‘ସ୍ୱଚ୍ଛତା ହିଁ ସେବା’ ପକ୍ଷ ପାଳନ କରାଯାଉଛି । ଏହି କ୍ରମରେ ଆଜି କେନ୍ଦ୍ର ସମବାୟ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ସମବାୟ ବିଭାଗ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ ପାଳନ କରାଯାଇଛି । ଆଜିର ସ୍ଲୋଗାନ ରହିଥିଲା “ଏକ୍ ଦିନ, ଏକ୍ ଘଣ୍ଟା, ଏକ୍ ସାଥ୍ ।”