ଅତିରିକ୍ତ ମୁଖ୍ୟ ସଚିବଙ୍କ ଦ୍ୱାରା ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ପାଇଁ ଜଙ୍ଗଲ ଭୂମି ବିଭାଜନ ପ୍ରଗତିର ସମୀକ୍ଷା

ଭୁବନେଶ୍ୱର ୧୩/୧୦/୨୦୨୫ : ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI), ଭାରତୀୟ ରେଳବାଇ, ଓପିଟିସିଏଲ (OPTCL), ଜିଏସଆଇ (GSI) ଓ ରିଲାୟନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ (Reliance Jio Infocom Limited) ର ମୁଖ୍ୟ ଅବସ୍ଥାପନା ପ୍ରକଳ୍ପଗୁଡ଼ିକ ପାଇଁ ଜଙ୍ଗଲ ଭୂମି ବିଭାଜନ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଜଙ୍ଗଲ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ନିରାକରଣ ପାଇଁ ଏକ ସମନ୍ୱୟ ବୈଠକ ଆଜି ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ପୂର୍ବବର୍ତ୍ତୀ ସେପେଫମ୍ବର ମାସରେ ହୋଇଥିବା ବୈଠକରେ ଆଲୋଚିତ ପ୍ରକଳ୍ପଗୁଡ଼ିକର ପ୍ରଗତି ଓ ସମୀକ୍ଷା କରି ଆଜିର ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପିଏମଜି (PMG)/ପ୍ରଗତି ପୋର୍ଟାଲରେ ଥିବା ମୁଖ୍ୟ ପ୍ରକଳ୍ପଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି । ଏଗୁଡିକ ମଧ୍ୟରେ କ୍ୟାପିଟାଲ ରିଜିଅନ୍ ରିଙ୍ଗ ରୋଡ୍ ପ୍ରକଳ୍ପ, ଦକ୍ଷିଣ ପୂର୍ବ ରେଳବାଇର ଗୋରୁ-ମହିସାଣୀ ନୂତନ ରେଳ ଲାଇନ୍, ରିଲାୟନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ର ୪ G ଭିତ୍ତିକ ମୋବାଇଲ ସେବା ପ୍ରକଳ୍ପ, ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ (GSI) ର ଖନନ ଅନୁସନ୍ଧାନ ପ୍ରସ୍ତାବ, ସେଲ୍ (SAIL) ର କାଲ୍ଟା ଆଇରନ ଓର ଖଣି, ଓପିଟିସିଏଲ (OPTCL) ର ଟ୍ରାନ୍ସମିସନ ଲାଇନ୍ ପ୍ରକଳ୍ପ, କଳ୍ୟାଣୀ ଷ୍ଟିଲ୍ର ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ପ୍ରସ୍ତାବ ଆଦି ଅନ୍ତର୍ଭୁକ୍ତ ।
ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଜଙ୍ଗଲ ଭୂମି ବିଭାଜନ ଅନୁମୋଦନ ପ୍ରକ୍ରିୟାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ତ୍ୱରାନ୍ୱିତ କରିବାକୁ ଓ ସମସ୍ତ ମାମଲା ସକ୍ରିୟ ଭାବେ ସମାଧାନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ସମସ୍ତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ଡିଭିଜନ ବନାଞ୍ଚଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ପର୍ଯ୍ୟାୟରେ ନିୟମିତ ନୀରୀକ୍ଷଣ ଓ ସହଯୋଗ କରି ଅନାବଶ୍ୟକ ବିଳମ୍ବ ରୋକିବା ପାଇଁ ନୋଡାଲ୍ ଅଫିସରମାନଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ୟୁଜର ଏଜେନସି ବା ଉପଭୋକ୍ତା ସଂସ୍ଥାମାନେ ମଧ୍ୟ ସେମାନଙ୍କର ସମସ୍ତ ଆବଶ୍ୟକ ଡକ୍ୟୁମେଣ୍ଟ, ମ୍ୟାପ ଓ ତତ୍ସମ୍ବନ୍ଧୀୟ ନଥି ଡିଏଫଓଙ୍କୁ ତ୍ୱରିତ ଦାଖଲ କରିବେ ଯାହା ଦ୍ୱାରା ପ୍ରକ୍ରିୟା ସମୟ କମିବ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆହୁରି କହିଥିଲେ ଯେ ଜଙ୍ଗଲ ଭୂମି ବିଭାଜନ ପ୍ରସ୍ତାବଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ଭିତରେ ପ୍ରକ୍ରିୟା କରାଯିବା ଦରକାର । ସମସ୍ତ ସମ୍ବନ୍ଧିତ ବିଭାଗ ଓ ସଂସ୍ଥାମାନଙ୍କ ସମନ୍ୱୟରେ କାମ କରି ସମୟୋପଯୋଗୀ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଉପରେ ସେ ଗୁରୁିଆରୋପ କରିଥିଲେ ।
ଏହି ବୈଠକରେ ଅତିରିକ୍ତ ପିସିସିଏଫ୍ (ନୋଡାଲ୍) କେ. ମୁରୁଗେସନ୍, ସିସିଏଫ୍ (ନୋଡାଲ୍) ଏ.କେ. କର, ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଓ ସ୍ୱ୍ୱତନ୍ତ୍ର ସଚିବ ଲିଙ୍ଗରାଜ ଓତା, ଓପିଟିସିଏଲ ର ସିଏମଡି ଭାସ୍କର ଜ୍ୟୋତି ଶର୍ମା, ରେଳବାଇର ମୁଖ୍ୟ ଯନ୍ତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଓ ବିଭାଗୀୟ ବନ ଅଧିକାରୀ, ୟୁଜର୍ ଏଜେନ୍ସିର ଅଧିକାରୀମାନେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିଲେ ।