
ଭୁବନେଶ୍ୱର , ରାଜନଗର ନିର୍ବାଚନମଣ୍ଡଳୀର ବିଜେପି ନେତା ତଥା ୨୦୨୪ରେ ବିଜେପି ଟିକଟରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଲଳିତ ବେହେରା ତାଙ୍କ ଉପରକୁ କମ୍ପ୍ୟୁଟର ଫିଙ୍ଗି ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜିଲାପାଳ ହସ୍ତକ୍ଷେପ କରିଛନ୍ତି। ବିଡିଓଙ୍କ ସୁରକ୍ଷା ଦେବା ପାଇଁ ଏସ୍ପିଙ୍କ ସହ ଜିଲାପାଳ ଆଲୋଚନା କରିଛନ୍ତି। ବିଡିଓ ତିଳୋତ୍ତମା ପୃଷ୍ଟି ଘଟଣା ସମ୍ପର୍କରେ ଜିଲାପାଳ ରଘୁରାମ ଆର. ଆୟରଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ତେବେ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବିଜେଡି କର୍ମୀ ବାଟରେ ଅଟକାଇ ବିଡିଓଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।
ରାଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର ଏ ନେଇ ରାଜନଗର ଥାନାରେ ବିଜେପି ନେତା ଲଳିତ ବେହେରାଙ୍କ ବିରୋଧରେ ଏତଲା ଦେଇଛନ୍ତି। ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି େଯ, ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ଲଳିତ ବେହେରା ତାଙ୍କର ୨୦/୨୨ ଜଣ ସମର୍ଥକଙ୍କ ସହ ବିଡିଓଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ବେଆଇନ ଭାବେ କେତେକ ସରକାରୀ କାର୍ଯ୍ୟ କରିବା ପାଇଁ ବିଡିଓଙ୍କୁ ବାଧ୍ୟ କରିଥିଲେ। ତେବେ ଏହି ବେଆଇନ କାର୍ଯ୍ୟ କରିବେ ନାହିଁ ବୋଲି ବିଡିଓ ରୋକ୍ଠୋକ ମନା କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଲଳିତ ବେହେରା ବିଡିଓ ଶ୍ରୀମତୀ ପୃଷ୍ଟିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଉପରକୁ କମ୍ପ୍ୟୁଟର ଫିଙ୍ଗିଥିଲେ। ହୋହାଲ୍ଲା ଶୁଣି ବିଡିଓଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଘଟଣାସ୍ଥଳକୁ ଆସିଯିବାରୁ ଲଳିତ ବେହେରା ଓ ତାଙ୍କ ସମର୍ଥକ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଏହି ଘଟଣାର ସମସ୍ତ ଦୃଶ୍ୟ ବିଡିଓଙ୍କ କାର୍ଯ୍ୟାଳୟରେ ଥିବା ସିସିଟିଭିରେ ରେକର୍ଡିଂ ହୋଇଛି।ଏହି ଘଟଣାରେ ଜିଲାପାଳ ହସ୍ତକ୍ଷେପ କରିଛନ୍ତି। ବିଡିଓଙ୍କ ସୁରକ୍ଷା ଦେବା ପାଇଁ ଏସ୍ପିଙ୍କ ସହ ଜିଲାପାଳ ଆଲୋଚନା କରିଛନ୍ତି।




